କାରୋନା ମୃତକଙ୍କ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ପ୍ରଦାନ କରିବ କିଟ ବିଶ୍ଵବିଦ୍ୟାଳୟ

ଭୁବନେଶ୍ଵର : କାରୋନା ମହାମାରୀରେ ସମଗ୍ର ବିଶ୍ଵ ପ୍ରଭାବିତ ହୋଇଛି। ଓଡିଶା ଏଥିରୁ ବାଦ ପଡିନାହିଁ। ଓଡିଶାରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ରାଜ୍ୟରେ କେତେକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଟ ବିଶ୍ୱବିଦ୍ୟାଳୟ ଲୋକଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗକୁ ଆସିଛି। ଏହାର କାରଣ ହେଲା ଏହି ଅନୁଷ୍ଠାନ ହେଉଛି ଓଡିଶା ବାସୀଙ୍କ ପାଇଁ ଗର୍ବ ଓ ଗୌରବ। ସେଥିପାଇଁ କାରୋନା ବିପତ୍ତି ସମୟରେ ଏହି ରୋଗରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କିଟ ବିଶ୍ୱବିଦ୍ୟାଳୟ ବଢାଇଛି ସହାୟତାର ହାତ। କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଅନୁରୋଧ କ୍ରମେ କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଛି।

କିଟ ବିଶ୍ଵବିଦ୍ୟାଳୟ ନେଇଥିବା ନିଷ୍ପତ୍ତି ଅନୁସାରେ ଓଡିଶାରେ କାରୋନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତିଙ୍କ ପରିବାର କୌଣସି ପୁଅ ବା ଝିଅ କିଟରେ ବୈଷୟିକ ଉଚ୍ଚ ଶିକ୍ଷା ପାଇଁ ଯଦି ଆଗ୍ରହୀ ତେବେ ସେମାନଙ୍କୁ ମିଳିବ ସୁଯୋଗ। ଯୋଗ୍ୟତା ଅନ୍ୟଯାୟୀ କିଟ ବିଶ୍ଵବିଦ୍ୟାଳୟରେ ଯେ କୌଣସି ବୈଷୟିକ (ଟେକନିକାଲ) ଓ ବୃତ୍ତିଗତ (ପ୍ରୋଫେସନାଲ) ପାଠ୍ୟକ୍ରମରେ ସଂପୂର୍ଣ୍ଣ ମାଗଣାରେ ପଢିବା ପାଇଁ ଦିଆଯିବ ସୁଯୋଗ। ଆସନ୍ତା ଦୁଇ ଶିକ୍ଷାବର୍ଷ ୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ଏହା ଲାଗୁ ହେବ ବୋଲି କିଟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

କିଟରେ ଆଇଟିଆଇ, ଡିପ୍ଲୋମା ଇଞ୍ଜିନିୟରିଂ ସମେତ କିଟ ବିଶ୍ଵବିଦ୍ୟାଳୟର ସମସ୍ତ ବୈଷୟିକ ଶିକ୍ଷା (ଟେକନିକାଲ ଏଜୁକେଶନ) ଓ ବୃତ୍ତିଗତ ଶିକ୍ଷା (ପ୍ରୋଫେସନାଲ ଏଜୁକେଶନ) ପାଠ୍ୟକ୍ରମରେ ସେମାନଙ୍କ ନାମଲେଖା ଯୋଗ୍ୟତା ଅନୁସାରେ ଆବେଦନ କଲେ ସେମାନଙ୍କୁ ଏହି ସୁବିଧା ମିଳିବ। ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ), ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଏବଂ ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ। କାରୋନା ମହାମାରୀ ସମୟରେ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାରୋନାରେ ଅସହାୟ ହୋଇପଡିଥିବା ଓଡିଶାବାସୀଙ୍କୁ କିଛିଟା ଆଶ୍ଵସ୍ତି ଦେବ ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି। କାରୋନା ମୃତକଙ୍କ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ବୈଷୟିକ ଶିକ୍ଷା ଓ ବୃତ୍ତିଗତ ଶିକ୍ଷା ପାଇଁ ସୁଯୋଗ ଦେବାରେ କିଟ ବିଶ୍ଵର ଏକମାତ୍ର ଅନୁଷ୍ଠାନ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।