କରୋନା ପାଇଁ ବ୍ୟବହାର ହୋଇପାରେ ଗଞ୍ଜେଇ

ନୂଆଦିଲ୍ଲୀ : ସମଗ୍ର ବିଶ୍ଵରେ କରୋନା କାୟା ବିସ୍ତାର କରିଛି। ଅନେକ ଲୋକଙ୍କ ପ୍ରାଣ ନେଲାଣି ଏହି ଭାଇରସ। ଏହାର ମୁକାବିଲା ଟିକା ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି। କେତେକ ଦେଶର ପ୍ରସ୍ତୁତ ହୋଇଥିବା ଟିକା ବ୍ୟବହାର ଉପଯୋଗୀ ହୋଇଛି। ତେବେ ୨୦୨୦ରେ ଏହା ସବୁ ଲୋକଙ୍କୁ ମିଳିବାର ଆଶା ନାହିଁ। ଏହିଭଳି ପରିସ୍ଥିତିରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ଗଞ୍ଜେଇ ଦ୍ୱାରା କରାଯାଇପାରିବ ବୋଲି ଏକ ନୂତନ ଅଧ୍ୟୟନରେ ଦାବି କରାଯାଇଛି।

ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଉପରେ ଗଞ୍ଜେଇକୁ ନେଇ ତିନୋଟି ଅଧ୍ୟୟନ କରିଥିଲେ। ଏଥିରେ ଥିବା ଏକ ଔଷଧୀୟ ତତ୍ତ୍ଵ କରୋନା ଚିକିତ୍ସାରେ ବ୍ୟବହାର ହୋଇପାରିବ ସେମାନେ ମନେକରୁଛନ୍ତି। କିନ୍ତୁ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଅଧିକ ଅନୁସନ୍ଧାନ ଆବଶ୍ୟକ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ଆମେରିକୀୟ ଅନୁସନ୍ଧାନରୁ ଜଣାପଡିଛି ଗଞ୍ଜେଇରେ ରହିଥିବା ଟିଏଚସି ନାମକ (ଟେଟ୍ରାହିଡ୍ରୋକାନାବିନୋଲ) ପଦାର୍ଥରେ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ। କିନ୍ତୁ ପ୍ରକୃତରେ ଟେଟ୍ରାହିଡ୍ରୋକାନାବିନୋଲ ଲୋକଙ୍କୁ ବିପଜ୍ଜନକ ପ୍ରତିକ୍ରିୟାରୁ ରକ୍ଷା କରିପାରିବ। ଯାହା ପ୍ରାୟତଃ ତୀବ୍ର ଶ୍ୱାସକ୍ରିୟା ସମସ୍ୟା ବା ଆକ୍ୟୁଟ ରେସ୍ପିରେଟୋରି ଡିଫେନ୍ସ ସିଣ୍ଡ୍ରୋମ (ଏଆରଡିଏସ) ସୃଷ୍ଟି କରିଥାଏ। ଡେଲି ମେଲର ରିପୋର୍ଟ ଅନୁଯାୟୀ ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ଏଆରଡିଏସ ସମସ୍ୟା ଏକ ସାଧାରଣ କଥା। ଏହି କାରଣରୁ ଅନେକ ରୋଗୀ ମୃତ୍ୟୁ ବରଣ କରନ୍ତି। ଆମେରିକୀୟ ବିଶ୍ୱବିଦ୍ୟାଳୟର ତିନୋଟି ଅଧ୍ୟୟନରେ ଅନେକ ଥର ଏହାର ପରୀକ୍ଷା କରାଯାଇଛି।

ପ୍ରଥମେ ମୂଷାମାନଙ୍କୁ ଏକ ଟକ୍ସିନ୍ ଓ ପରେ ଟିଏଚସି ଦିଆଯାଇଥିଲା। ଦେଖାଗଲା ଯେଉଁ ମୂଷାମାନଙ୍କୁ ଟିଏଚସି ଦିଆଯାଇଥିଲା ସେହି ମୂଷାମାନେ ବଞ୍ଚିଲେ। କେବଳ ଟକ୍ସିନ ଦିଆଯାଇଥିବା ମୂଷାଗୁଡିକର ମୃତ୍ୟୁ ହୋଇଥିଲା। ଏହାସତ୍ତ୍ୱେ ଏହି ପ୍ରସଙ୍ଗରେ ଅଧିକ ଅନୁସନ୍ଧାନ କରାଯିବା ଆବଶ୍ୟକ ବୋଲି ଅନୁସନ୍ଧାନକାରୀମାନେ ଚେତାବନୀ ଦେଇଛନ୍ତି। ସେମାନେ ଲୋକମାନଙ୍କୁ ଗଞ୍ଜେଇ ଖାଇବାକୁ ଉତ୍ସାହିତ କରୁନାହାନ୍ତି। କିନ୍ତୁ ଗବେଷକମାନେ ବର୍ତ୍ତମାନ ଗଞ୍ଜେଇରୁ ଟିଏଚସି ବାହାର କରାଇ ମାନବ ପରୀକ୍ଷା ଆରମ୍ଭ କରିବାକୁ ଯୋଜନା କରୁଛନ୍ତି।

ମତାମତ ଦିଅନ୍ତୁ ।