କରୋନା ସନ୍ଦେହ : ଟ୍ରଲିରେ ବୁହାହେଲା ଶବ

ନିମାପଡା : କରୋନା ଏବେ ମାନବିକତା ହଜାଇ ଦେଇଛି। ସମସ୍ତଙ୍କୁ ଘାରିଛି ଆକ୍ରାନ୍ତ ହେବାର ଭୟ। ଯେଉଁଥିପାଇଁ ନିଜ ଲୋକମାନେ ଦୂରେଇ ଯାଉଛନ୍ତି। ଏଭଳି ଏକ ଘଟଣା ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ମାଙ୍କରଗୋରଡ଼ି ଗାଁ’ରେ ଦେଖିବାକୁ ମିଳିଛି। ମୃତ ଯୁବକଙ୍କ ଶବ ସତ୍କାର ପାଇଁ ପଛଘୁଞ୍ଚା ଦେଇଛନ୍ତି ଜ୍ଞାତି କୁଟୁମ୍। ଗାଁ ଲୋକ ନଆସିବାରୁ ଶେଷରେ ପରିବାର ଲୋକେ ପିପିଇ କିଟ ପିନ୍ଧି ଟ୍ରଲିରେ ଶବ ବୋହି ଶ୍ମଶାନକୁ ନେଇ ସତ୍କାର କରିଛନ୍ତି।
ଖବର ଅନୁଯାୟୀ ମାଙ୍କରଗୋରଡ଼ି ଗାଁ’ର ସନାତନ ରାଉତଙ୍କ ପୁଅ ସାଧୁଆ କିଛିଦିନ ହେଲା ଜ୍ୱରରେ ପୀଡିତ ହୋଇଥିଲେ। ଗତ ୩ ତାରିଖରେ ପରିବାର ଲୋକେ ତାଙ୍କୁ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ଟାଇଫଏଡ଼ ଚିକିତ୍ସା କରିବା ସହ କୋଭିଡ ପରୀକ୍ଷା ପାଇଁ ପୁରୀ ରେଫର କରିଥିଲେ। ୪ ତାରିଖରେ ପୁରୀ ମେଡିକାଲ ଓପିଡି ବନ୍ଦ ଥିବାରୁ ସାଧୁଆଙ୍କୁ ଫେରାଇ ଦିଆଯିବାରୁ ୫ ତାରିଖ ସକାଳେ ଭୁବନେଶ୍ୱର ନେବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ସକାଳ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ଶବ ଉଠାଇବା ପାଇଁ କୁଟୁମ୍ବ ଓ ଗାଁ ଲୋକଙ୍କୁ ଡକାଯାଇଥିଲା। କିନ୍ତୁ କେହି କରୋନା ଭୟରେ ଆସିଲେ ନାହିଁ। ଏଭଳି ପରିସ୍ଥିତିରେ କୋଣାର୍କ ଏନଏସି କର୍ତ୍ତୃପକ୍ଷ ପିପିଇ କିଟ ଯୋଗାଇଦେବା ପରେ ସାଧୁଆଙ୍କ ଭିଣୋଇ, ପିଇସା, ମଉସା ଓ ଜଣେ ସମ୍ପର୍କୀୟ ଭାଇ ଟ୍ରଲିରେ ଶବକୁ ବୋହିନେଇ ଗାଁ ମଶାଣିରେ ସତ୍କାର କରିଥିବା ଜଣାପଡିଛି।