କରୋନା ସ୍ଥିତିରେ ସୁଧାର ଆସିବ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କରୋନାର ଦ୍ଵିତୀୟ ଲହରରେ ସଂକ୍ରମିତଙ୍କ ବୃଦ୍ଧି ପାଉଥିବାରୁ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଦେଶରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଲୋକଙ୍କୁ ଟିକାକରଣ ପାଇଁ ଉତ୍ପାଦନ କ୍ଷମତା ବଢାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିବା ବେଳେ ଗତଦିନରେ ନିଆଯାଇଥିବା ପଦକ୍ଷେପ ଯୋଗୁ କାରୋନା ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି କରୋନା ସ୍ଥିତି ନିୟନ୍ତ୍ରଣକୁ ଆସି ଯାଇଥିଲା। ଏବେ ପୁଣି ଆମ ଆଗରେ ବଡ ସଙ୍କଟ ଆସିଛି। କରୋନା ବିପକ୍ଷରେ ଦେଶ ସଂପ୍ରତି ବଡ ଯୁଦ୍ଧ ଲଢୁଛି। କରୋନାର ଦ୍ଵିତୀୟ ଲହର ଝଡପରି ମାଡି ଆସିଛି। କରୋନା ଲଢେଇରେ ସମ୍ମୁଖରେ ରହି ଲଢୁଥିବା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ ପୋଲିସ ପ୍ରତି ପ୍ରଧାନମନ୍ତ୍ରୀ ଜଣାଇଛନ୍ତି କୃତଜ୍ଞତା। ଏଥିସହ କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି ଯେଉଁ ଲୋକେ ମହାମାରୀରେ ନିଜର ଲୋକଙ୍କୁ ହରାଇଛନ୍ତି ମୁଁ ସେମାନଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରୁଛି। ଏଥର ଚ୍ୟାଲେଞ୍ଜ ବଡ ରହିଛି ମାତ୍ର ସମସ୍ତେ ମିଶି ସଂକଳ୍ପ ଓ ଉତ୍ସାହର ସହ ଏହାର ସଫଳ ମୁକାବିଲା କରିପାରିବା। କଠିନ ପରିସ୍ଥିତିରେ ଆମେ ଧୈର୍ଯ୍ୟ ହରାଇବା ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଲେ ଗତ ଦିନରେ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହାଦ୍ୱାରା ଆଗାମୀ ଦିନରେ ସ୍ଥିତିରେ ସୁଧାର ଆସିବ। ଅକ୍ସିଜେନ୍ ସମସ୍ୟା ଦୂର କରିବା ପାଇଁ ଦ୍ରୁତ ଗତିରେ କାମ ଜାରି ରହିଛି। ଏଥିପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଘରୋଇ ସଂସ୍ଥା ସହିତ ମିଶି କାମ ଜାରି ରଖିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ ଫାର୍ମା ଇଣ୍ଡଷ୍ଟ୍ରୀ ସହ ବିସ୍ତାର ସହ ଆଲୋଚନା ହୋଇଛି। ଆମେ ସୌଭାଗ୍ୟଶାଳୀ ଯେ ଆମ ଦେଶ ପାଖରେ ମଜବୁତ ଫାର୍ମା ସେକ୍ଟର ରହିଛି। ଆମେ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢାଇବା କାମକୁ ଜୋରଦାର କରୁଛୁ। ରାଜ୍ୟକୁ ଅକ୍ସିଜେନ ଯୋଗାଇବାକୁ ଯଥା ସମ୍ଭବ ଚେଷ୍ଟା କରାଯାଉଛି। ଦେଶରେ ଔଷଧ କମ୍ପାନୀଗୁଡିକଠାରୁ ସହଯୋଗ ନିଆଯାଉଛି। ଭାରତରେ ଦୁଇ ଦୁଇଟି ଭ୍ୟାକସିନ ସହିତ ଟିକାକରଣ ଅଭିଯାନ ଜାରି ରହିଛି। ଦୁନିଆରେ ସବୁଠୁ ଦ୍ରୁତ ଗତିରେ ଭ୍ୟାକସିନ ଡୋଜ୍ ଭାରତରେ ଦିଆଯାଇଛି। ଆଜିର କରୋନା ଲଢେଇରେ ଆମକୁ ଉତ୍ସାହ ମିଳିଛି। ରାଜ୍ୟଗୁଡ଼ିକ ଲକଡାଉନକୁ କରୋନାର ଶେଷ ଅସ୍ତ୍ର ବା ବିକଳ୍ପ ଭାବେ ବ୍ୟବହାର କରନ୍ତୁ। ଲକଡାଉନ ବଦଳରେ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ସମସ୍ତେ କଟକଣା ମାନିଲେ ଲକଡାଉନର ଆବଶ୍ୟକ ପଡ଼ିବନି। ଆମକୁ ଜୀବନ ସହ ଜୀବିକାକୁ ମଧ୍ୟ ଦେଖିବାକୁ ପଡ଼ିବ। ତେଣୁ ସମସ୍ତଙ୍କୁ ଲକଡାଉନକୁ ଦୂରେଇ ରଖିବାକୁ ପଡ଼ିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button