କଟକ : ଗାଡ଼ିଚୋରି ଗ୍ୟାଙ୍ଗର ୫ ଗିରଫ, ୩୪ ବାଇକ୍‌ ଜବତ

କଟକ : ଜଗତପୁର ପୋଲିସ ଏକ ଗାଡ଼ିଚୋରି ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୩୪ଟି ଚୋରା ବାଇକ୍‌ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିରୋଳ ଗାଁର ପପୁ ଓରଫ ଭକ୍ତ ଚରଣ ରାଉଳ, ମାହାଙ୍ଗା ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁରର ବିଜୟ ଓରଫ ରତିକାନ୍ତ ପ୍ରଧାନ, ମଣିଜୋରୀ ଗାଁର ଜଗନ ଓରଫ ଜଗବନ୍ଧୁ ରାଉତ, ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମଣପୁରର ପ୍ରଶାନ୍ତ ସାମଲ ଓ ପୁରୀଘାଟ ଥାନା ଅଧୀନ ବାମ୍ଫିସାହିର ମୁନା ଓରଫ ପ୍ରତାପ ସେଠୀ।

ଜଗତପୁର ପୋଲିସର ସୂଚନା ଅନୁଯାୟୀ ପଦମପୁର ମୁତାରିଫାର ସଦାନନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଚୋରି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ପୋଲିସ କୁଖ୍ୟାତ ଡକାୟତ ପପୁ, ଜଗନ ଓ ବିଜୟକୁ ଠାବକରି ଅଟକ ରଖିଥିଲା। ଏମାନଙ୍କ ଠାରୁ ଚୋରି ହୋଇଥିବା ଗୋଟିଏ ଟାଟା ଏସିଇ ଓ ଆକ୍ଟିଭା ୩ଜି ଜବତ କରଯାଇଥିଲା। ଆଉ ଜେରା ବେଳେ ଏମାନଙ୍କ ସହଯୋଗୀଙ୍କ ସମ୍ପର୍କରେ ସୂଚନା ମିଳିବାରୁ ୩୪ଟି ଚୋରା ବାଇକ ଜବତ ହୋଇଛି। ଡକାୟତମାନେ କଟକ ସହର, ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ଅନ୍ୟ ଅଂଚଳରୁ ବାଇକ୍‌ ଚୋରି କରୁଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।