କେନ୍ଦ୍ର ମନ୍ତ୍ରିମଣ୍ଡଳ ଚେହେରା ବଦଳିବ !

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳ ଚେହେରା ବଦଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ମନ୍ତ୍ରୀମାନଙ୍କ କାମ ସମୀକ୍ଷା କରିଥିବାରୁ ଏପରି କଲ୍ପନା ଜଳ୍ପନା ପ୍ରକାଶ ପାଇଛି।

ଖବର ଅନୁଯାୟୀ ବିଗତ ୪୮ ଘଂଟା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି. ନଡ୍ଡା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର ଭେଟି ସାରିଲେଣି। ସେହିପରି ଗୃହମନ୍ତ୍ରୀ ଅମିତ୍ ଶାହା ୟୁପିରେ କିଛି ଆଞ୍ଚଳିକ ଦଳର ନେତାମାନଙ୍କ ସହ ବୈଠକ କରିଛନ୍ତି। ଏସବୁ ବୈଠକରେ ମନ୍ତ୍ରୀମାନଙ୍କ କାମ ଉପରେ ସମୀକ୍ଷା କରାଯାଉଥିବା ଜଣାପଡିଛି। ଗୁରୁବାର ଦିନ ୬ ଜଣ ମନ୍ତ୍ରୀଙ୍କର କାମ ସମୀକ୍ଷା କରାଯାଇଛି। ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିଥିବା ବେଳେ ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଓ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି।

ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଭି.କେ ସିଂଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରାଯାଇଛି। ଆସନ୍ତାକାଲି ଧର୍ମେନ୍ଦ୍ର ପ୍ରଧାନ, ନରେନ୍ଦ୍ର ସିଂ ତୋମାର, ଗଜେନ୍ଦ୍ର ସିଂ ଶେଖାଓତ, ମହେନ୍ଦ୍ର ନାଥ ପାଣ୍ଡେ, ହରଦୀପ ସିଂହ ପୁରୀଙ୍କ ମନ୍ତ୍ରାଳୟ ଓ କାର୍ଯ୍ୟର ସମୀକ୍ଷା ହେବ। କେବଳ ସେତିକି ନୁହେଁ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ଦେଶର ୬ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ମହାମାରୀ କରୋନା ସମୟରେ ପରିଚାଳନା ଅଭାବରୁ ସରକାର ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି। ସୋସିଆଲ ମିଡିଆରେ ଲୋକମାନେ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯାଇପାରେ ବୋଲି ବିଶ୍ୱାସ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button