ଖଣି ପ୍ରସଙ୍ଗରେ ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ଵର : ବିଧାନସଭାରେ ଆଜି ଖଣି ଦୁର୍ନୀତି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳର ସଦସ୍ୟ ଏକପ୍ରକାର ମୁହାଁମୁହିଁ ହୋଇଛନ୍ତି। ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

ସୋମବାର ବିଧାନସଭାରେ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ। ସେ ଅଭିଯୋଗ କରିଥିଲେ ମାଫିଆ ଓ ଅଫିସରଙ୍କ ପାଇଁ ଲକ୍ଷେ କୋଟି ଟଙ୍କାର ଖଣିଜ ଲୁଟ ହୋଇଛି। ଯେଉଁମାନେ ଏଥିରେ ସମ୍ପୃକ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ। ଏହାଛଡା ଶ୍ରୀ ନାୟକ ଖଣି ଲିଜ ସମ୍ପର୍କରେ କହିଲେ ସିରାଜୁଉଦ୍ଦିନ କମ୍ପାନୀ ନାଁରେ ଭିଜିଲାନ୍ସ ମାମଲା ହୋଇଛି। ରୁଙ୍ଗଟା ମାଇନ୍ସ ନାଁରେ ଏମଏମଡିଆର ଆକ୍ଟରେ ମାମଲା ରହିଛି। ଏହାସତ୍ତ୍ଵେ ସେମାନଙ୍କ ଖଣି ଲିଜ୍ କିପରି ନବୀକରଣ ହେଲା ବୋଲି ପ୍ରଶ୍ନ କରିବା ସହିତ ଖଣି ଲିଜ୍ ନବୀକରଣ ଓଡ଼ିଶା ପାଇଁ ଆତ୍ମଘାତୀ ବୋଲି ସେ କହିଥିଲେ। ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ୯ଟି ଖଣିରେ ୩୬ଶହ କୋଟି ରାଜସ୍ଵ କ୍ଷତି ହୋଇଛି।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଥିଲେ ବିଜେଡି ବିଧାୟକ ପ୍ରତାପ ଦେବ। ସେ କହିଲେ ୨୦୧୫-୧୬ ରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଓ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ଆସି କହିଲେ ଓଡିଶା ଖଣି ରାଜସ୍ଵରୁ ଲକ୍ଷାଧିକ ଟଙ୍କା ପାଇବ। ହେଲେ କେତେ ଟଙ୍କା ଓଡ଼ିଶାକୁ ମିଳିଲା ? ଶ୍ରୀ ଦେବ କହିଲେ ଖଣି ନିଲାମ ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ ଅନୁସାରେ ହୋଇଛି। କିଛି ଲୁଚାଯାଉନାହିଁ। ସିଇସି ତଦନ୍ତ ବେଳେ କଂଗ୍ରେସ କାହିଁକି ତଥ୍ୟ ରଖି ନଥିଲା। ନିର୍ଦ୍ଧିଷ୍ଟ ତଥ୍ୟ ଥିଲେ ବିରୋଧୀ ସର୍ବସମ୍ମୁଖରେ ରଖନ୍ତୁ କିନ୍ତୁ ଏହାକୁ ରାଜନୀତି କରାନଯାଉ। ବରଂ ଆଲୋଚନା କରି ସମାଧାନ କରାଯାଉ ବୋଲି ସେ କହିଥିଲେ।

ଅନ୍ୟପକ୍ଷରେ ମୁଲତବୀ ପ୍ରସ୍ତାବକୁ ନେଇ କଂଗ୍ରେସ ଓ ବିଜେପି ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା କରିଥିଲେ। ବିରୋଧୀ ଦଳ ନେତା କହିଥିଲେ ବିଜେପି ଦେଇଥିବା ପ୍ରସ୍ତାବକୁ କାହିଁକି ଗ୍ରହଣ କରାଗଲା ନାହିଁ। ଯଦି କଂଗ୍ରେସର ମୁଲତବୀ ପ୍ରସ୍ତାବ ଦିଆଗଲା ଆମ ସହ ଆଲୋଚନା କରାଗଲା ନାହିଁ କାହିଁକି। ଏହାଛଡା ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାରେ ୨୦ ଲକ୍ଷ ଲୋକ ପାଉଛନ୍ତି। ପ୍ରଥମ କିସ୍ତିରେ ୩୭ ଲକ୍ଷ ଲୋକ ପାଇଥିଲେ। ଦ୍ଵିତୀୟ କିସ୍ତିରେ ବାକି୧୭ ଲକ୍ଷ କୁଆଡ଼େ ଗଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଥିଲେ।

ମତାମତ ଦିଅନ୍ତୁ ।