ଖରିପଡିଆ ବ୍ରାହ୍ମଣୀ ନଦୀରୁ ବାଲି ଚୋରାଚାଲାଣ : ନଦୀବନ୍ଧ ଫାଟିବାରୁ ଯାତାୟତ ବନ୍ଦ୍

ଯାଜପୁର : ଖରିପଡିଆ ନିକଟ ବ୍ରାହ୍ମଣୀ ନଦୀରୁ ବାଲି ଚୋରାଚାଲାଣ ଯୋଗୁ ନଦୀ ବନ୍ଧ ଦୁର୍ବଳ। ଏଭଳି ପରିସ୍ଥିତିରେ ଗତ ରାତିରେ ବାଲି ଉଠାଇବା ପାଇଁ ଏକ ବଡ ପୋର୍କଲିନ୍ ମେସିନ ନେବାରୁ ନଦୀବନ୍ଧ ଫାଟି ଯାଇଛି। ଯାହାଫଳରେ ଖରିପଡିଆ, କୁଶବଟ, ଜୁଣୁଗାଁ, କଳାଖଣ୍ଡ, ପରମାନନ୍ଦପୁର ଓ ବାଲିଆ ପରି ଅନେକ ଗାଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜିଲ୍ଲା ହେଡକ୍ୱାର୍ଟର ଯାଜପୁରକୁ ଏହା ଏକ ମାତ୍ର ଲିଙ୍କରୋଡ୍ ହୋଇଥିବାରୁ ଯାତାୟାତ ସମ୍ଭବ ହେଉନି। ତୁରନ୍ତ ଏହାର ପ୍ରତିକାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଖବର ଅନୁଯାୟୀ ଖରିପଡିଆ ନିକଟ ବ୍ରାହ୍ମଣୀ ନଦୀରୁ ପ୍ରତିବର୍ଷ ହଜାର ହଜାର ଟ୍ରକ ବାଲି ଚୋରା ଚାଲାଣ ହେଉଛି। ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ପ୍ରଶାସନର ଏଥିପ୍ରତି ନଜର ନାହିଁ। ଏବେ କଥା ଉଠୁଛି ସମସ୍ତଙ୍କ ଜ୍ଞାତସାରରେ ବାଲି ମଫିଆମାନେ ବାଲି ନେଉଛନ୍ତି। ଯାହାଫଳରେ ବ୍ରାହ୍ମଣୀ ଦକ୍ଷିଣ ପାର୍ଶ୍ୱସ୍ଥ ନଦୀ ବନ୍ଧ, ବାସଗୃହ ଓ ଚାଷଜମି ପ୍ରତି ବିପଦ ଦେଖାଦେଇଛି।

ଲୋକଙ୍କ କହିବା କଥା ବ୍ରହ୍ମବରଦା ନିକଟ ବେଦପୁର ପାଖରେ ବ୍ରାହ୍ମଣୀରୁ କେଲୁଅ ନଦୀ ବାହାରିଛି। ବ୍ରାହ୍ମଣୀ ନଦୀ ସେଠାରେ ଅପେକ୍ଷାକୃତ ପ୍ରଶସ୍ତ। ବର୍ଷାଦିନେ ବ୍ରାହ୍ମଣୀ ମୁହାଁଣରେ ବାଲିଚଢା ସୃଷ୍ଟି ହୋଇ ନଦୀ ମୁହଁ ବନ୍ଦ ହୋଇଯିବା ସହ ନଦୀର ଜଳଧାର ଛିଡିଯାଏ। ଯଦି ସେଠାରୁ ବାଲି ଉଠାଯାଇ ପାରନ୍ତା ତେବେ ବ୍ରାହ୍ମଣୀ ନଦୀର ଜଳଧାର ସବୁଦିନ ପ୍ରବାହିତ ହୁଅନ୍ତା। ତେଣୁ ସେ ସ୍ଥାନରୁ ବାଲି ଉଠାଇବା ଉଚିତ କି ନୁହେଁ ସେ ସମ୍ପର୍କରେ ଅନୁଧ୍ୟାନ କରାଯିବା ଆବଶ୍ୟକ। କିନ୍ତୁ ଖରିପଡିଆ ନିକଟରୁ ବାଲି ଉଠାଣ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏ ଦିଗରେ ସ୍ଥାନୀୟ ପ୍ରଶାସନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button