କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିସନ୍‌ ଦାୟୀ : ମାଡ୍ରାସ୍‌ ହାଇକୋର୍ଟ

ଚେନ୍ନାଇ : କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତ ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ନିର୍ବାଚନ କମିସନ୍‌ ଦାୟୀ ବୋଲି କହିଛନ୍ତି ମାଡ୍ରାସ୍‌ ହାଇକୋର୍ଟ। ନିର୍ବାଚନ ପ୍ରଚାର ସମୟରେ କୋଭିଡ୍‌-୧୯ ନିମୟ ଉଲଂଘନ କରୁଥିବା ରାଜନୈତିକ ଦଳମାନଙ୍କୁ ନ ଅଟକାଇ ନିର୍ବାଚନ କମିସନ୍‌ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ଯ୍ୟ କରିଛି। ତେଣୁ ଏହା ବିପକ୍ଷରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ ବୋଲି ଅଦାଲତ କହିଛନ୍ତି।

ସୋମବାର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ତିକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ତାମିଲନାଡୁ ପରିବହନ ମନ୍ତ୍ରୀ ଏମ୍‌ ଆର୍‌ ବିଜୟଭାସ୍କର କରିଥିବା ଆବେଦନ ଉପରେ ଶୁଣାଣି କରିଥିଲେ। ଏହି ଅବସରରେ କୋର୍ଟ କହିଛନ୍ତି ଆମେ ଯେଉଁ ଅବସ୍ଥାରେ ଅଛୁ ସେଥିପାଇଁ ଦାୟୀ ଏକମାତ୍ର ପ୍ରତିଷ୍ଠାନ ହେଉଛନ୍ତି ଆପଣ (ନିର୍ବାଚନ କମିସନ୍‌)। ଆପଣଙ୍କର କୌଣସି କର୍ତ୍ତୃତ୍ତ୍ଵ ନାହିଁ। ‘କୋଭିଡ୍‌ ନିୟମ ପାଳନ କର’, ବୋଲି ଅଦାଲତ ଆଦେଶ ଦେବା ସତ୍ତ୍ୱେ ଆପଣ ରାଲି କରୁଥିବା ରାଜନୈତିକ ଦଳମାନଙ୍କ ବିପକ୍ଷରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି।

ଖଣ୍ଡପୀଠ କହିଛନ୍ତି ଜନସ୍ୱାସ୍ଥ୍ୟ ହେଉଛି ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଭୋଟ୍‌ ଗଣତି ପାଇଁ ମେ ୨ ତାରିଖ ପୂର୍ବରୁ କୋଭିଡ୍‌ ନିୟମ ସଠିକ ପାଳନ ନେଇ ନକ୍ସା ପ୍ରସ୍ତୁତ କରନ୍ତୁ। ନଚେତ ମେ ୨ ତାରିଖ ଦିନ ଭୋଟ୍‌ ଗଣାଇ ଦେବୁନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ବିଜୟଭାସ୍କର ଆବେଦନରେ ଦର୍ଶାଇଥିଲେ କରୁର ନିର୍ବାଚନ ମଣ୍ଡଳୀରେ ୭୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିବାରୁ ଭୋଟ୍‌ ଗଣନାରେ କଟକଣା ସହ ନିରପେକ୍ଷତା ବଜାୟ ଲାଗି ବ୍ୟବସ୍ଥା କରିବା ପାଇଁ ନିର୍ବାଚନ କମିସନ୍‌କୁ ଅଦାଲତ ନିର୍ଦେଶ ଦିଅନ୍ତୁ।

Leave a Reply

Your email address will not be published. Required fields are marked *

Back to top button