କୋରାପୁଟ ଝିଅ ନମିତାଙ୍କୁ ବ୍ରେକ୍‌ ଦେବେ ବର୍ଷା

ଭୁବନେଶ୍ୱର : କୋରାପୁଟ ବନ୍ଧୁଗାଁ ବ୍ଲକ୍‌ ଚିନ୍ତାଗୁଡ଼ାର ଗାଁର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। କୁଇ ଭାଷା ସହ ଓଡ଼ିଆ ଓ ହିନ୍ଦୀ ଭାଷାରେ ସେ ଗାଇଥିବା ଗୀତ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାପରେ ତାଙ୍କୁ ବିଭିନ୍ନ ଆଡ଼ୁ ଅଫର୍‌ ଆସୁଛି। କେବଳ ସେତିକି ନୁହେଁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ନମିତାଙ୍କୁ ସୁଯୋଗ ଦେବେ ବୋଲି ଘୋଷଣା କରିଛନ୍ତି।

ବର୍ଷା ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟରେ ନମିତାଙ୍କ ଯାଦୁକରୀ ସ୍ୱରର ପ୍ରଶଂସା କରିଛନ୍ତି। ସେ ଲେଖିଛନ୍ତି ସତରେ ଈଶ୍ୱରଦତ୍ତ। ସାନ ଭଉଣୀ ନମିତା ସହ ମୋର ପ୍ରାର୍ଥନା ଓ ଆଶୀର୍ବାଦ ରହିଛି। ଦକ୍ଷତା ଲୁଚି ନରହୁ। ମୁଁ ତାଙ୍କର ଏ ଯାତ୍ରାରେ ଛୋଟ ଭୂମିକା ତୁଲାଇବାକୁ ଚାହୁଁଛି। ମୁଁ ତାଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟତା କରିବାକୁ ଚାହୁଁଛି। ମୁଁ ଚାହିଁବି ସେ ଏହି ପ୍ରୟାସରେ ଜଣେ ସଙ୍ଗୀତ ଗୁରୁଙ୍କ ଦିଗ୍‌ଦର୍ଶନରେ ଏକ ଜଗନ୍ନାଥ ଭଜନରୁ କ୍ୟାରିୟର୍‌ ଆରମ୍ଭ କରନ୍ତୁ। ନିଜ ଉପରେ ବିଶ୍ୱାସ ରଖ। ଆମେ ସମସ୍ତେ ତୁମ ସହ ଅଛୁ। ଜୟ ଜଗନ୍ନାଥ। ନମିତାଙ୍କୁ ଇତିମଧ୍ୟରେ ଭେଟିଛନ୍ତି କୋରାପୁଟ ଜିଲ୍ଲାପାଳ। ତାଙ୍କ ପରିବାରର ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା କରିଛନ୍ତି। ସେ ଏଥିରୁ କିଛି ବିନିଯୋଗ କରି ଟିଭିଟିଏ କିଣିବେ ବୋଲି କହିଛନ୍ତି ନମିତା।

ମତାମତ ଦିଅନ୍ତୁ ।