ଲଘୁଚାପ ବାଂଲାଦେଶ ମୁହାଁ : ଓଡ଼ିଶାକୁ ବିପଦ ନାହିଁ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ରେସନରେ ପରିଣତ ହେବାପରେ ବାଂଲାଦେଶ ଆଡ଼କୁ ମୁହାଁଇଛି। ଏହା ଦୁର୍ବଳ ହୋଇଥିବାରୁ ଡିପ-ଡିପ୍ରେସନରେ ପରିଣତ ହେବାର ସମ୍ଭାବନା ପ୍ରାୟତଃ ନାହିଁ। ତେଣୁ ଓଡ଼ିଶା ପ୍ରତି ବିପଦ ଟଳି ଯାଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ମଧ୍ୟାହ୍ଣ ସୁଦ୍ଧା ଏହା ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପଡ଼ା ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ।

ପାଣିପାଗ ବିଭାଗ କହିଛି ଶୁକ୍ରବାର ସକାଳ ସାଢେ ୫ଟା ସୁଦ୍ଧା ଏହି ଡିପ୍ରେସନ ପାରାଦୀପଠାରୁ ୨୦୦ କିଲୋମିଟର ପୂର୍ବ-ଉତ୍ତର-ପୂର୍ବ ଦିଗରେ, ପଶ୍ଚିମବଙ୍ଗର ସାଗରଦ୍ୱୀପଠାରୁ ୬୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ ଓ ଖେପୁପଡ଼ାଠାରୁ ୨୧୦ ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦିଗରେ ରହିଥିଲା। ଏହା ଗତ ୬ ଘଣ୍ଟା ହେଲା ଘଣ୍ଟା ପ୍ରତି ୨୨ କିଲୋମିଟର ବେଗରେ ଗତି କରୁଥିବା ବେଳେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇଥିବାରୁ ଓଡ଼ିଶା ପ୍ରତି ବିପଦ ଆଶଙ୍କା ଦୂର ହୋଇଛି। କିନ୍ତୁ ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋଲି କୁହାଯାଇଥିବା ବେଳେ ଆଜି ପାଣିପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।

ମତାମତ ଦିଅନ୍ତୁ ।