ସରକାର ଚଷୀଙ୍କ ଦାବି ମାନି ନିଅନ୍ତୁ : ରାହୁଲ

ନୂଆଦିଲ୍ଲୀ : ଚାଷୀମାନେ ୩ କୃଷି ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଦୃଢ ନିଶ୍ଚୟ କରିସାରିଲେଣି। ଏଣୁ ସରକାର ଚାଷୀଙ୍କ ଦାବି ମାନି ନେବା ଦରକାର ବୋଲି ରାହୁଲ ଗାନ୍ଧି ରବିବାର ଏକ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଚାଷୀ-ମଜଦୂରଙ୍କ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଆନ୍ଦୋଳନ ନିଷ୍ପତିରୁ ସେମାନଙ୍କ ନିଷ୍ପତ୍ତି ଦୃଢବୋଲି  ଜଣାପଡୁଛି। ଏଥିରୁ  ମୋଦିଙ୍କ ସରକାର କେତେ ନିରାଶାଜନକ ତାର ମଧ୍ୟ ପ୍ରମାଣ ମିଳୁଛି। ଏଣୁ କ୍ଷମତାର ଅହଂକାର ଛାଡି ସରକାର ସତ୍ୟାଗ୍ରହୀ ଚାଷୀଙ୍କ ଅସୁବିଧା ବୁଝିବାକୁ ଚେଷ୍ଟା କରନ୍ତୁ ଓ ୩ଟି ଜାକ ଜନବିରୋଧୀ ଆଇନର ପ୍ରତ୍ୟାହାର ଘୋଷଣା କରନ୍ତୁ ବୋଲି କହିଛନ୍ତି।

ସାରା ଦେଶରେ ଚାଷୀମାନେ ଅଲଗା ଅଲଗା ସ୍ଥାନରେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ  ରାହୁଲ ଏହି ଟ୍ୱିଟ୍‌ କରିଛନ୍ତି।  ଏଥିରେ ରାଜସ୍ଥାନରେ କୃଷକ ଆନ୍ଦୋଳନ ଜୋରଦାର ହେଉଥିବା ବେଳେ ରାହୁଲ ଗାନ୍ଧି ସେଠାକୁ ମଧ୍ୟ ଯାଇପାରନ୍ତି ବୋଲି ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ୍‌ ରବିବାର ଟ୍ୱିଟ୍‌ କରିଛନ୍ତି। କିଷାନଙ୍କ ସଂଘର୍ଷରେ ସାମିଲ ହେବାକୁ ରାହୁଲ ୧୨ ଓ ୧୩ ଫେବୃଆରୀରେ ରାଜସ୍ଥାନ ଗସ୍ତ କରିବେ ବୋଲି ସେ ଉଲ୍ଲେଖ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ରାହୁଲ ଟ୍ୱିଟ୍‌ କରି କେନ୍ଦ୍ର ସରକାରଙ୍କୁ ଘେରିଥିଲେ। ଚାଷୀଙ୍କ ଆନ୍ଦୋଳନ ସ୍ଥଳ ବାହାରେ ପୋଲିସ କଣ୍ଟା ପୋତିବା ଘଟଣାରେ ରାହୁଲ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଆନ୍ଦୋଳନ ଚଳାଇଥିବା ଲୋକେ ଚାଷୀ ନା ଆଉ କିଏ ବୋଲି ପ୍ରଶ୍ନ କରିଥିଲେ। ଚାଷୀଙ୍କୁ ଭାରତର ଶକ୍ତି ବୋଲି କହିଥିଲେ ରାହୁଲ। ସେମାନଙ୍କୁ ନେଇ କେନ୍ଦ୍ର ସରକାର ଏତେ ଭୟଭୀତ କାହିଁକି ବୋଲି ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button