ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଆରମ୍ଭ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆଜି ମାସର ପ୍ରଥମ ମଙ୍ଗଳବାରରୁ ଆରମ୍ଭ ହୋଇଛି। କୋଭିଡ୍ କଟକଣା ଭିତରେ ଯାତ୍ରା ପାଳନ କରାଯାଉଥିବାରୁ ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରିଛି।
କରୋନା ପାଇଁ ଗତବର୍ଷ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ହୋଇପାରି ନ ଥିଲା। ବିନା ଭକ୍ତରେ କେବଳ ହୋଇଥିଲା ନୀତିକାନ୍ତି। ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ଵିତୀୟ ସଂକ୍ରମଣ ଆରମ୍ଭ ହୋଇଥିବାରୁ କୋଭିଡ କଟକଣା ଭିତରେ ଯାତ୍ରା ପାଳନ ହେଉଛି। ଭୋର ୪ଟାରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଛି। ବ୍ୟାରିକେଡ଼ରେ ଯାଇ ଭକ୍ତମାନେ ଦର୍ଶନ କରୁଛନ୍ତି। ଏ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି। ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ।
ସେହିପରି ତାରାତାରିଣୀ ମନ୍ଦିର ହିଲ୍ ଟପ୍ ଓ ତଳ ସିଂହଦ୍ଵାର ନିକଟରେ ସମନ୍ୱିତ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି। ଏଠାରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ଵାସ୍ଥ୍ୟ, ବିଜୁଳି ଓ ପୋଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ପରିଚାଳନା କରୁଛନ୍ତି। ମାଆଙ୍କ ମନ୍ଦିର (ହିଲ୍ ଟପ୍)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍ ବ୍ୟବସ୍ଥା ହୋଇଛି। ପ୍ରତି ଯାତ୍ରୀ ପିଛା ଟିକେଟ୍ ମୂଲ୍ୟ ୬୦ଟଙ୍କା ଧାର୍ଯ୍ୟ ହୋଇଛି।