ମହଙ୍ଗା ହେବ ମୋବାଇଲ ଫୋନ

ନୂଆଦିଲ୍ଲୀ : ସରକାର ମୋବାଇଲ ଯନ୍ତ୍ରାଂଶ ଆମଦାନୀ ଶୁଳ୍କ ବୃଦ୍ଧି କରିଛନ୍ତି। ଡିସପ୍ଲେ ଉପରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ହୋଇଥିବାରୁ ମୋବାଇଲ ଫୋନ ମୂଲ୍ୟ ଅନୁନ୍ୟ ୩ ପ୍ରତିଶତ ବଢିବାର ଆଶଙ୍କା ରହିଛି। ଡିସପ୍ଲେ ଆସେମ୍ବ୍ଲିଓ ଟଚ୍ ପାନେଲ ଉପରେ ସରକାରଙ୍କ ଶୁଳ୍କ ବୃଦ୍ଧି ପ୍ରସ୍ତାବ ଅକ୍ଟୋବର ପହିଲାରୁ ଲାଗୁ ହେବାର ଥିଲା। ଉଦ୍ୟୋଗର ମଧ୍ୟ ଏଥିରେ ସହମତ। ତେଣୁ ମୋବାଇଲ ଫୋନ ମୂଲ୍ୟରେ ଦେଢରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହେବ ବୋଲି ଆଇସିଇଏ ଜାତୀୟ ସଭାପତି ପଙ୍କଜ ମହେନ୍ଦ୍ରୁ କହିଛନ୍ତି।

ଆଇସିଇଏ ସଦସ୍ୟଙ୍କ ମଧ୍ୟରେ ଆପଲ, ହୁୱେଇ, ସିୟୋମୀ, ଭିଭୋ ଓ ୱିନଷ୍ଟ୍ରନ ଭଳି ମୋବାଇଲ ଫୋନ ନିର୍ମାତାମାନେ ଅଛନ୍ତି। ମୋବାଇଲ ଫୋନ ଯନ୍ତ୍ରାଂଶର ଘରୋଇ ଉତ୍ପାଦନ ଲାଗି ଉଦ୍ୟୋଗ ସଂକଳ୍ପବଦ୍ଧ। ଏହାଦ୍ୱାରା ଦେଶ ଏଭଳି ସାମଗ୍ରୀ ଉତ୍ପାଦନରେ ଆତ୍ମନିର୍ଭର ହୋଇପାରିବ ବୋଲି ମହେନ୍ଦ୍ରୁ କହିଛନ୍ତି। ୨୦୧୬ରେ ଅନୀଲ ଅଗ୍ରୱାଲଙ୍କ ବେଦାନ୍ତ ସମୂହ ଦେଶରେ ଟ୍ୱିନଷ୍ଟାର ଡିସପ୍ଲେ ଟେକ୍ନୋଲଜି ନାମରେ ଏଲସିଡି ଉତ୍ପାଦନ କାରଖାନା ପାଇଁ ପ୍ରସ୍ତାବ ରଖିଥିଲେ। ଏହି କାରଖାନା ଲାଗି ୬୮ ହଜାର କୋଟି ଟଙ୍କାର ନିବେଶ ହୋଇଥାନ୍ତା। ତେବେ ସେତେବେଳେ ସରକାର ଏହି ପ୍ରକଳ୍ପକୁ ମଞ୍ଜୁରି ନଦେବାରୁ ପ୍ରସ୍ତାବ ଆଗକୁ ବଢିପାରିନଥିଲା। ହେଲେ ଏବେ ସରକାର ଶୁଳ୍କ ବୃଦ୍ଧି କରିବା ପରେ ଏପରି ସାମଗ୍ରୀର ଆମଦାନୀ ହ୍ରାସ ଯୋଗୁ ଷ୍ଟକ୍ ସେତେପରିମାଣରେ ନଥିବା ମହେନ୍ଦ୍ରୁ କହିଛନ୍ତି।

ମତାମତ ଦିଅନ୍ତୁ ।