ମହାପ୍ରଭୁଙ୍କୁ ଦର୍ଶନ କଲେ ସବ୍ୟଶାଚୀ-ଅର୍ଚିତ

ପୁରୀ : ଓଡ଼ିଆ ଚଳଚ୍ଚିତ୍ରର ସଫଳ ଅଭିନେତା ସବ୍ୟସାଚୀ ଓ ତାଙ୍କର ପତ୍ନୀ ଅଭିନେତ୍ରୀ ଅର୍ଚ୍ଚିତା ବିବାହର ଦୁଇ ସପ୍ତାହ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପ୍ରଥମ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଲାଗି ସବ୍ୟର୍ଚ୍ଚିତା ଶନିବାର ସନ୍ଧ୍ୟାରେ ଶ୍ରୀମନ୍ଦିରରେ ପହଂଚିଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ସେମାନେ ମନ୍ଦିର ପରିସରରେ ରହି ପୂଜାର୍ଚ୍ଚନା ଓ ଦୀପଦାନ କରିଥିଲେ। ସେମାନଙ୍କୁ ଦେଖିବା ପାଇଁ ମନ୍ଦିର ପରିସର ଓ ବାହାରେ ସମର୍ଥକ ଓ ପ୍ରଶଂସକଙ୍କର ପ୍ରବଳ ଭିଡ଼ ଲାଗିଥିଲା।
ସୂଚନାଯୋଗ୍ୟ ଗତ ୧ ତାରିଖରେ ଅଭିନେତା-ଅଭିନେତ୍ରୀ ସବ୍ୟର୍ଚ୍ଚିତାଙ୍କର ରାଜସ୍ଥାନରେ ରାଜକୀୟ ଢଙ୍ଗରେ ବିବାହ ହୋଇଥିଲା। ରିଲ୍ ଲାଇଫ ଯୋଡ଼ିରୁ ସେମାନେ ରିୟଲ ଲାଇଫରେ ପତିପତ୍ନୀ ହୋଇଛନ୍ତି। ଗତବର୍ଷ ମାର୍ଚ୍ଚ ମାସରେ ଦୁହିଙ୍କ ବିବାହ ପାଇଁ ସ୍ଥିର ହୋଇଥିଲେ ହେଁ କୋଭିଡ କଟକଣା ପାଇଁ ହୋଇପାରି ନଥିଲା। ଶୁଭେଚ୍ଛୁଙ୍କ ଗହଳି ଏଡ଼ାଇବା ଓ ସୁରକ୍ଷା ପାଇଁ ଉଭୟ ପରିବାରର ସମ୍ମତିରେ ରାଜସ୍ଥାନରେ ବିବାହ ହୋଇଥିବା କହିଛନ୍ତି ସବ୍ୟସାଚୀ। ନିଜ ଜୀବନର ସଫଳତାର ଶ୍ରେୟ ସେ ଅର୍ଚ୍ଚିତାଙ୍କୁ ଦେଇଥିବା ବେଳେ ରିଲ୍ ଲାଇଫ୍ ସହିତ ଆଗକୁ ସମାଜସେବା ଜାରି ରହିବ ବୋଲି ଉଭୟେ କହିଛନ୍ତି।