ମହିଳା ଓ ୪ବର୍ଷର ଶିଶୁକନ୍ୟାକୁ ଛୁରାମାଡ଼

ଖୁଣ୍ଟୁଣୀ : ଜଣେ ବିଧବା ମହିଳା ଓ ତାଙ୍କ ୪ବର୍ଷର ଶିଶୁ କନ୍ୟାକୁ ଛୁରାମାଡ଼ ହୋଇଛି। ମହିଳାଙ୍କ ସମ୍ପର୍କୀୟ ଦିଅର ଗତକାଲି ରାତିରେ ଏହି କାଣ୍ଡ ଘଟାଇଥିବା ବେଳେ ଗୁରୁତର ଆହତ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଓ ଘଣ୍ଟିଖାଲ ଫାଣ୍ଡି ପୋଲିସ ଉଦ୍ଧାର କରି ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସା କେନ୍ଦ୍ର ଓ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। କଟକ ଜିଲ୍ଲାର ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଚେପେଟି (ଦ୍ୱାରାବତୀପୁର) ଗ୍ରାମ ଦ୍ଵାରାଶୁଣି ଠାକୁରାଣୀ ମନ୍ଦିର ଠାରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ଛୁରାମାଡ଼ରେ ଗୁରୁତର ଆହତ ମହିଳା ଜଣକ ଢେଙ୍କାନାଳ ଜିଲ୍ଲା ବାଲିମି ଥାନା ଦୁଦୁରକୋଟ ଗ୍ରାମର କଳ୍ପନା ଗୋଚ୍ଛାୟତ ଓ ତାଙ୍କ ଝିଅ ପାୟଲ। କଳ୍ପନା ଢେଙ୍କାନାଳର ଏକ ସଂସ୍ଥାରେ କାମ କରନ୍ତି। ଗତକାଲି ସନ୍ଧ୍ୟାରେ ତାଙ୍କର ସମ୍ପର୍କୀୟ ଦିଅର ସେଠାରେ ପହଞ୍ଚି ଘର ଦୁଦୁରକୋଟ ଯିବା ପାଇଁ ଉଭୟ ମାଆ ଓ ଝିଅକୁ ନିଜ ବାଇକରେ ନେଇଆସିଥିଲେ। ମାତ୍ର କାମ ବାହାନାରେ ଘରକୁ ନନେଇ ପୁରୁଣା କଟକ-ସମ୍ବଲପୁର ରାସ୍ତାର ଖୁଣ୍ଟୁଣୀ ଥାନା ଦ୍ୱାରାବତୀପୁର ଗ୍ରାମ ଦ୍ୱାରାଶୁଣି ମନ୍ଦିର ପରିସରକୁ ନେଇ ଅତର୍କିତ ଆକ୍ରମଣ କରିଥିଲେ।

ଛୁରାମାଡ଼ରେ କଳ୍ପନାଙ୍କ ମୁଣ୍ଡ,ମୁହଁ ଓ ବାମହାତ ପାପୁଲି ସହ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ଝିଅ ପାୟଲର ପିଠିରେ ଗଭୀର କ୍ଷତ ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା। ମହିଳା ଓ ଛୋଟ ପିଲାର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଛୁରାମାଡ଼ କରିଥିବା ଯୁବକ ବାଇକରେ ଫେରାର ହୋଇଯାଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ମତାମତ ଦିଅନ୍ତୁ ।