ମନ ବିଚଳିତ ସମୟରେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ

ଗୌତମ ବୁଦ୍ଧଙ୍କର ଏକ ପ୍ରସଙ୍ଗ ଅନୁଯାୟୀ ମନ ଅଶାନ୍ତ କିମ୍ବା ବିଚଳିତ ଥିବା ସମୟରେ କୌଣସି ଦୃଢ଼ ନିର୍ଣ୍ଣୟ ନେବା ଉଚିତ୍‌ ନୁହେଁ। ଏମିତି ସ୍ଥିତିରେ ନିର୍ଣ୍ଣୟ ଭୁଲ ହୋଇପାରେ। ଯାହାଦ୍ୱାରା ଭବିଷ୍ୟତରେ ସମସ୍ୟାର ସାମନା କରିବାକୁ ପଡ଼ିବ। ତେଣୁ ମନ ଶାନ୍ତ ହେବା ପର୍ଯ୍ୟନ୍ତ ପ୍ରତିକ୍ଷା କରିବା ଉଚିତ।

ଗୌତମ ବୁଦ୍ଧଙ୍କର ପ୍ରସଙ୍ଗ ଭିତ୍ତିକ ଉଦାହରଣଟି ହେଲା ଜଣେ ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହିତ ଭଲ ପଡ଼ୁନଥିଲା। ପ୍ରତିଦିନ ଝଗଡ଼ା ଲାଗୁଥିଲା। ଏହି କାରଣ ପାଇଁ ସବୁବେଳେ ତାଙ୍କ ଅଶାନ୍ତିରେ ସମୟ କଟୁଥିବା ବ୍ୟକ୍ତି ଜଣଙ୍କ ଦିନେ ଜଙ୍ଗଲକୁ ଚାଲିଗଲେ। ଗୌତମ ବୁଦ୍ଧ ନିଜର ଶିଷ୍ୟଙ୍କ ସହ ସେହି ଜଙ୍ଗଲ ବାଟ ଦେଇ ଯାଉଥିଲେ। ଦୁଃଖରେ ଥିବା ସେଇ ବ୍ୟକ୍ତି ବୁଦ୍ଧ ଦେବଙ୍କୁ ସବୁ କଥା ଜଣାଇଲେ। ଆଉ କହିଲେ ମୁଁ ସନ୍ନ୍ୟାସ ନେବାକୁ ଚାହୁଁଛି। କୃପା କରି ମୋତେ ନିଜର ଶିଷ୍ୟ କରିନିଅନ୍ତୁ। କିନ୍ତୁ ବୁଦ୍ଧଦେବ ତାଙ୍କ କଥାରେ ରାଜି ହେଲେନାହିଁ। ପରଦିନ ସକାଳେ ବୁଦ୍ଧଦେବ ତାଙ୍କୁ କହିଲେ ମୋତେ ଶୋଷ ଲାଗୁଛି। ପାଖ ନଦୀରୁ ପାଣି ନେଇ ଆସ।

ବୁଦ୍ଧଙ୍କ ପାଇଁ ପାଣି ଆଣିବାକୁ ସେ ନଦୀକୁ ଗଲେ। ସେଠାରେ ଯାଇ ଦେଖିଲେ ଜଙ୍ଗଲ ଜୀବଜନ୍ତୁଙ୍କ ଡିଆଁ କୁଦାରେ ପାଣି ଗୋଳିଆ ହୋଇଯାଇଛି। ତଳ ମାଟି ପାଣି ଉପରକୁ ଆସିଯାଇଛି। ଏମିତି ଦୂଷିତ ଓ ମଇଳା ପାଣି ଦେଖି ନୂଆ ଶିଷ୍ୟ ଜଣଙ୍କ ଫେରିଆସିଲେ। ବୁଦ୍ଧଙ୍କ ପାଖକୁ ଯାଇ ଏସବୁ କଥା କହିଲେ। କିଛି ସମୟ ପରେ ବୁଦ୍ଧଦେବ ପୁଣି ତାଙ୍କୁ ପାଣି ଆଣିବାକୁ ପଠାଇଲେ। ଏଥର ନଦୀକୁ ଯାଇ ଦେଖିଲେ ପାଣି ପୁରା ସଫା। ମଇଳା ପାଣି ତଳେ ବସି ଯାଇଥିଲା। ଏହାଦେଖି ସେ ଚିନ୍ତିତ ହେଲେ। ଆଉ ପାଣି ନେଇ ବୁଦ୍ଧଙ୍କ ପାଖରେ ପହଞ୍ଚିଥିଲେ। ପଚାରିଲେ ତଥାଗତ ଆପଣଙ୍କୁ କେମିତି ଜଣାପଡ଼ିଲା ଏବେ ସଫା ପାଣି ମିଳିବ।

ବୁଦ୍ଧଦେବ ତାଙ୍କୁ ବୁଝାଇଲେ ଜୀବଜନ୍ତୁ ପାଣିରେ ଡିଆଁଡେଇଁ କରୁଥିଲେ। ଏହି କାରଣରୁ ପାଣି ଗୋଳିଆ ହୋଇଯାଇଥିଲା। କିଛି ସମୟ ପରେ ସବୁ ପଶୁ ଯେତେବେଳେ ସେଠାରୁ ଚାଲିଗଲେ ନଦୀର ପାଣି ଶାନ୍ତ ହୋଇଗଲା। ମଇଳା ତଳେ ବସିଗଲା। ଠିକ୍‌ ଏହିପରି ଆମର ଜୀବନରେ ବହୁତ ସମସ୍ୟା ଆସିଯାଏ। ଯେଉଁଥି ପାଇଁ ମନର ଶାନ୍ତି ଭଙ୍ଗ ହୁଏ। ଏମିତି ସ୍ଥିତିରେ ଆମେ ଭୁଲ୍‌ ନିଷ୍ପତ୍ତି ନେଇଥାଉ। ତେଣୁ ମନର ବିଚଳିତ ଭାବ ଶାନ୍ତ ହେବା ଯାଏ ଅପେକ୍ଷା କରିବାକୁ ପଡ଼ିବ। ଧୈର୍ଯ୍ୟ ରଖିବାକୁ ହେବ।

ବୁଦ୍ଧଙ୍କର ଏଇ କଥା ଶୁଣି ବ୍ୟକ୍ତି ଜଣଙ୍କ ନିଜ ଜୀବନରେ ବିତି ଯାଇଥିବା କଥା ସବୁ ମନେପଡ଼ିଗଲା। ସେ ବୁଝିପାରିଲେ ଘର ଛାଡ଼ିବାର ନିଷ୍ପତ୍ତି ଅଶାନ୍ତ ମନରେ ନେଇଥିଲେ। ଯାହା ସଂପୂର୍ଣ୍ଣ ଭୁଲ୍‌। ତେଣୁ ସେ ଘରକୁ ଫେରିବା ପାଇଁ ବୁଦ୍ଧଙ୍କ ଠାରୁ ଅନୁମତି ନେଇ ପତ୍ନୀଙ୍କ ପାଖକୁ ଫେରି ଆସିଲେ। ଏହାପରେ ତାଙ୍କର ବୈବାହିକ ଜୀବନର ସବୁ ସମସ୍ୟା ଦୂର ହୋଇଗଲା। ସେହିଦିନ ଠାରୁ ସେ ଶାନ୍ତ ମନରେ ସବୁ ସମସ୍ୟାକୁ ସମଧାନ କରିବାକୁ ଲାଗିଲେ।

ମତାମତ ଦିଅନ୍ତୁ ।