ମଣିଷର ଚକ୍ରବ୍ୟୁହରେ ପ୍ରକୃତି

॥ ହଳଧର ଧୀର ॥
ଜଙ୍ଗଲ ହିଁ ସମ୍ପଦ। ଜୀବଜଗତର କଲ୍ୟାଣ ପାଇଁ ଜଙ୍ଗଲ ଏକମାତ୍ର ଭରଷା। ପ୍ରକୃତିର ସବୁଜିମାରେ ହସି ଉଠୁଥିଲା ଜଗତ। ବଣ ପାହାଡର ବୃକ୍ଷଲତା ଗହଳରେ ଖେଳୁଥିଲେ ସିଂହ ଆଉ ଠେକୁଆର ସାବକମାନେ। ପକ୍ଷୀର ଗୁଞ୍ଜନ ମୁଖରୀତ କରୁଥିଲା ଘଞ୍ଚ ବନାନୀ। ମନରେ ସେମାନଙ୍କର ନଥିଲା ଦ୍ୱନ୍ଦ୍ୱ। ନଥିଲା ଭୟ। ନିର୍ଭୟରେ ସ୍ୱାଧୀନ ଭାବେ ବିଚରଣ କରୁଥିଲେ ଜଙ୍ଗଲରେ। ନାନା ଜାତି ଫୁଲର ମହକରେ ହସି ଉଠୁଥିଲା ବନଭୂମିି। ତା’ର ମହକରେ ମହକି ଉଠୁଥିଲେ ବନବାସୀ ଓ ଆଖପାଖର ବନ ବନ୍ଧୁମାନେ। ଆଦିବାସୀ ରମଣୀର ଜୁଡାରେ ଶୋଭା ପାଉଥିଲା କୋରେଇ ଫୁଲ। ଯାହା ଅବର୍ଣ୍ଣନୀୟ। ରାତି ବଢିଲେ କୋରେଇ ଫୁଲ ଓ ମହୁଲର ବାସ୍ନା ଆଉ ମାଦଲର ତାଳେ ନୃତ୍ୟରତା ଆଦିବାସୀ ରମଣୀମାନଙ୍କୁ ଦେଖିଲେ ମନେ ହେଉଥିଲା ସତେ ଇନ୍ଦ୍ରସଭାର ଉର୍ବଶୀମାନେ ପୃଥୀବୀକୁ ଆସି ନୃତ୍ୟ ପରିବେଷଣ କରୁଛନ୍ତି। ସକାଳ ସୂର୍ଯ୍ୟର ଶୀତଳ କିରଣ ଓ ଦଲକାଏ ଶୀତଳ ପବନରେ ଆଖିପତା ମୁଦି ହୋଇଯାଏ କ୍ଳାନ୍ତ ବନବାଳାମାନଙ୍କର। କୁଳୁକୁଳୁ ଝରଣାର ଜଳ ସତେ କେତେ ସ୍ୱଚ୍ଛ। ଆଉ ଜମିକୁ ଯୋଗାଉଥିଲା ପଟୁମାଟି। ଘଞ୍ଚ ଜଙ୍ଗଲ ପାଇଁ ଋତୁ ଚକ୍ରରେ କୋଣସି ବ୍ୟତିକ୍ରମ ହେଉନଥିଲା। ଋତୁର ନିୟମରେ ମୌସୁମୀ ପ୍ରବାହର ଧାରା ବଜାୟ ରହୁଥିବାରୁ ପ୍ରତିଟି ଋତୁ ସଠିକ ଅନୁଭୂତ ହେଉଥିଲା। ଆଉ ମଣିଷ ଆନନ୍ଦରେ ନିଜର ସୁଖ ସ୍ୱପ୍ନକୁ ସାକାର କରୁଥିଲା ସୁନାର ଫସଲରେ।

ଆଧୁନିକ ମଣିଷ କାଳକ୍ରମେ ଶିଳ୍ପବିପ୍ଲବର ସ୍ୱପ୍ନ ଦେଖିଲା । ସବୁଜିମା ଭରା ବଣ ପାହାଡ ପର୍ବତର ଛାତି ଚିରି ତାକୁ କ୍ଷତାକ୍ତ କରି ପ୍ରାକୃତିକ ସବୁଜିମାକୁ ଛାରଖାର, ନାରଖାର କରିବାକୁ କୁଣ୍ଠାବୋଧ କଲାନାହିଁ ଏ ଅତ୍ୟାଧୁନିକ ମଣିଷ । ଚାହୁଁ ଚାହୁଁ ଏ ମଣିଷ ଏତେ ଉଗ୍ର ଆଉ ସ୍ୱାର୍ଥନ୍ଧ ହୋଇ ଉଠିଲା ଯେ ସେ ଭୁଲିଗଲା ତା’ ଅତୀତର ସେହି ସ୍ମୃତିକୁ । ପିଲାବେଳର ସେହି ନୈସର୍ଗୀକ ପ୍ରକୃତିର ହସକୁ, ତାର ସବୁଜିମାକୁ । ତା’ ଫୁଲର ମହକକୁ, ଫଳର ସ୍ୱାଦକୁ, ଝରଣାର ସ୍ୱଚ୍ଛ କାଚକେନ୍ଦୁ ପରି ଜଳକୁ । ଆଉ ଭୁଲିଗଲେ ପିଲାଦିନେ ଠେକୁଆ ଓ କଉତିକିଆ ବନଜନ୍ତୁଙ୍କ ସହ ଖେଳୁଥିବାର ଦୃଶ୍ୟପଟ୍ଟକୁ ।

ସତରେ କି ବିଚିତ୍ର ଏ ଆଧୁନିକ ମଣିଷ । ନିଜ ଗାଁ, ମା’ ମାଟି, ପ୍ରକୃତିଦତ୍ତ ସବୁଜିମାଠାରୁ ନିଜକୁ ଦୂରେଇ ନେଇ କଂକ୍ରିଟ ଜଙ୍ଗଲରେ ବିଚରଣ କରିବା ପରେ ସେ’ବା କିପରି ଅନୁଭବ କରିବ ପ୍ରକୃତିର ଅବଦାନକୁ। ସମୟ ବଦଳିଯାଇଛି । ମଣିଷ ପ୍ରକୃତିର ନିୟମକୁ ଉଲଙ୍ଘନ କରିବାକୁ ତିଳେ ହେଲେ କୁଣ୍ଠାବୋଧ କରିନାହିଁ । ଏହି ସ୍ୱାର୍ଥନ୍ୱେସୀ ମଣିଷ ଅହଂ ଓ ଗର୍ବକୁ ଖର୍ବ କରିବା ପାଇଁ ପ୍ରକୃତି ଆଜି କଠୋର ଭାବ ଆଚରଣ କଲାଣି । ପ୍ରକୃତି ନୂଆ ନୂଆ ଉଗ୍ର ରୂପ ଦେଖିବାକୁ ମିଳୁଛି। ଆକସ୍ମିକ ପ୍ରବଳ ରୌଦ୍ରତାପ-ଗ୍ରୀଷ୍ମ ପ୍ରବାହରେ ଚାରିଆଡେ ନିଆଁ ବାର୍ଷୁଛି। ଆଉ କେତେବେଳେ ଅଦିନିଆଁ ଝଡ ବର୍ଷା, ବାତ୍ୟା, ମହାବାତ୍ୟା। ଘୂର୍ଣ୍ଣିବାତ୍ୟାର ଭୟାବହତା ଓ କଳ୍ପନାତୀତ ସୁନାମୀର କରାଳ ରୂପ ଦେଖାଉଛି ପ୍ରକୃତି। କରୋନା ମଣିଷ ଜାତିକୁ ଉଚିତ୍ ଶିକ୍ଷା ଦେଲାଣି। ଏସବୁ ପ୍ରକୃତିର ଚେତାବନୀକୁ ମଣିଷ ତା’ର ଖିଆଲି ମନରେ କେତୋଟି ମୁହୂର୍ତ୍ତରେ ପାଶୋରି ଯାଉଛି। ଆଉ ଯେଉଁ କେତେକ ସ୍ୱଚ୍ଛ, ତ୍ୟାଗୀ ପ୍ରକୃତିର ଉପାସକ ମଣିଷ ରହିଛନ୍ତି ସେମାନେ ସଜାଗ ହୋଇଛନ୍ତି। ପ୍ରକୃତିର ଚେତାବନୀ ଓ ତା’ର ଭୟାବହତାକୁ ଉପଲବ୍‌ଧି କରି ମଣିଷ ସମାଜରେ ପ୍ରକୃତିର ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି। କଂକ୍ରିଟ ଜଙ୍ଗଲର ହିଂସ୍ର ଜୀବଜଗତକୁ ବାରବାର ସତର୍କବାଣୀ ଶୁଣାଇ ଆସୁଛନ୍ତି। ଏଥିପାଇଁ ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡୁଛି।

ବରିଷ୍ଠ ସାମ୍ବାଦିକ, ଭୁବନେଶ୍ୱର
mail-haladhar.dhir@gmail.com

ମତାମତ ଦିଅନ୍ତୁ ।