ମାସ୍କ ନପିନ୍ଧିଲେ ଦୁଇଗୁଣା ଜରିମାନା

ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ ଆଜିଠାରୁ ଆରମ୍ଭ ହେଉଛି ୧୪ ଦିନିଆ ମାସ୍କ ଅଭିଯାନ। ଯେଉଁମାନେ ମାସ୍କ ନପିନ୍ଧିବେ ସେମାନଙ୍କ ଠାରୁ ଦୁଇଗଣା ଜରିମାନା ଆଦାୟ କରାଯିବ। ମୁଖ୍ୟମନ୍ତ୍ରୀ ଏଥିପାଇଁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଛନ୍ତି।

ଶୁକ୍ରବାର ମୁଖ୍ୟମନ୍ତ୍ରୀ କହିଛନ୍ତି ମାନବ ଇତିହାସରେ କରୋନା ମହାମାରୀ ଭଳି ସଙ୍କଟ କେବେ ଆସିନଥିଲା। ସମସ୍ତଙ୍କ ସହଯୋରୁ ଆମେ ଅନେକ ଜୀବନକୁ ରକ୍ଷା କରିପାରିଛୁ। ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ବହୁତ କମ୍ ଥିଲା। କରୋନାର ପ୍ରଥମ ଲହର ବେଳେ ଆମକୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିଥିଲା। ସଂକ୍ରମଣକୁ ରୋକିବା ପାଇଁ ଆମକୁ ବାରମ୍ବାର ଲକଡାଉନ୍ ଓ ସଟଡାଉନ୍ କରିବାକୁ ପଡ଼ିଥିଲା।

ଏବେ କୋଭିଡର ଦ୍ୱିତୀୟ ଲହର ଆରମ୍ଭ ହୋଇଛି। ଯାହା ବହୁତ ଶୀଘ୍ର ବ୍ୟାପୁଛି। ଏହା ମଧ୍ୟ ପୂର୍ବାପେକ୍ଷା ଅଧିକ ମାରାତ୍ମକ ଲାଗୁଛି। କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଲାଣି। ଯଦି ଆମେ କୋଭିଡ୍ ନିୟମ ମାନିବା, ତାହେଲେ ଏହି ସଂକ୍ରମଣକୁ ନିଶ୍ଚୟ ରୋକିପାରିବା। ଏଥିପାଇଁ ଆଜିଠାରୁ ୧୪ ଦିନ ଯାଏ ମାସ୍କ ଅଭିଯାନ ଆରମ୍ଭ କରିବା। ସମସ୍ତେ ସଠିକ୍ ଭାବେ ମାସ୍କ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀ ଜନତାଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବେକରେ ଝୁଲାଇ ନୁହେଁ, ଠିକ୍ ଭାବେ ନାକକୁ ଘୋଡାଇ ମାସ୍କ ପିନ୍ଧିବା। ବିନା ମାସ୍କରେ କେବେ ଘରୁ ବାହରିବା ନାହିଁ। ମା’ ମାନଙ୍କୁ ଅନୁରୋଧ ପରିବାର ଲୋକ ଘରୁ ବାହାରକୁ ଗଲେ ସେମାନଙ୍କୁ ମାସ୍କ ପିନ୍ଧିବାକୁ କୁହନ୍ତୁ। ମା’ ମାନେ ସତର୍କ ହେଲେ କେବେ ବି କରୋନା ଘରକୁ ଆସି ପାରିବନି। ସରକାର ବାହାରେ ଜଗିଛନ୍ତି, ମା’ ମାନେ ଘରେ ଜଗନ୍ତୁ। ମୁଖ୍ୟମନ୍ତ୍ରୀ କହିଛନ୍ତି କିଛି ଅମାନିଆଙ୍କ ପାଇଁ କାହିଁକି ସାରା ସମାଜ କଠିନ ପରିସ୍ଥିତିରେ ପଡିବ।

Leave a Reply

Your email address will not be published. Required fields are marked *

Back to top button