ମାସ୍କର ଦାମ୍ ୧୧ କୋଟି

ଜେରୁଜେଲମ : କରୋନାରୁ ରକ୍ଷା ପାଇବା ନିମନ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କିଛି ସ୍ଥାନରେ ମାସ୍କ ନ ପିନ୍ଧିଲେ ରହିଛି ଜେଲ ଓ ଜରିମାନା ବ୍ୟବସ୍ଥା। ଏହି ପାଳନ କରିବା ପାଇଁ ଲୋକେ ପିନ୍ଧୁଛନ୍ତି ବିଭିନ୍ନ ପ୍ରକାର ମାସ୍କ। କଟକରେ ଓ ବାଙ୍ଗାଲୁରୁରେ ଦୁଇଜଣ ବ୍ୟକ୍ତି ସୁନା ମାସ୍କ ପିନ୍ଧିିଥିବା ନଜରକୁ ଆସିଥିବା ବେଳେ ଗୁଜୁରାଟରେ ହୀରା ଲାଗିଥିବା ମାସ୍କ ମଧ୍ୟ ବିକ୍ରି ହୋଇଛି। ଏବେ ଇସ୍ରାଏଲର ଏକ ଗହଣା ଦୋକାନୀ ସବୁଠାରୁ ମହଙ୍ଗା ମାସ୍କ ପ୍ରସ୍ତୁତ କରିଛି। ଯାହାକୁ ତିଆରି କରିବାକୁ ଖର୍ଚ୍ଚ ହୋଇଛି ୧.୨ ନିୟୁତ ଡ଼ଲାର ବା ଭାରତୀୟ ମୁଦ୍ରାରେ ୧୧ କୋଟି ୨୬ ଲକ୍ଷ ଟଙ୍କା।

ସୂଚନା ଅନୁସାରେ ଇସ୍ରାଏଲର ଗହଣା ପ୍ରସ୍ତୁତକାରୀ କମ୍ପାନୀ ‘ୟୁଭେଲ ଇନ୍ ମୋଟଜା’ (ୱାଇଆଇଏମ୍) ବିଶ୍ଵର ସବୁଠାରୁ ମହଙ୍ଗା ମାସ୍କ ପ୍ରସ୍ତୁତ କରିଛି।  ସୁନା ଓ ହୀରାରେ ଏହି ମାସ୍କ ତିଆରି ହୋଇଛି। ଭିତର ପାର୍ଶ୍ଵରେ ଏନ୍-୯୯ ଫିଲ୍ଟର ଲଗାଯାଇଛି। ଏହି ମାସ୍କରେ ୧୮କ୍ୟାରେଟ ସୁନା ଉପରେ ୩୬୦୦ କଳା-ଧଳା ହୀରା ଲଗାଯାଇ ଯାଇଛି। ଜଣେ ଗ୍ରାହକଙ୍କ ବରାଦ ଅନୁସାରେ କମ୍ପାନୀ ଏହି ମାସ୍କ ପ୍ରସ୍ତୁତ କରିଛି ବୋଲି କୁହାଯାଉଛି। କିନ୍ତୁ ମାସ୍କ ବରାଦ କରିଥିବା ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରିବାକୁ କମ୍ପାନୀ ଚାହିଁନାହିଁ। ତେବେ ଯାହା ଜଣାପଡିଛି ଆମେରିକାରେ ରହୁଥିବା ଚୀନାର ଜଣେ ଏହି ମସ୍କ ବରାଦ କରିଛନ୍ତି।

ମତାମତ ଦିଅନ୍ତୁ ।