ମେ’୧୫ରୁ ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର : ଆସନ୍ତା ମେ’ ମାସ ୨୯ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ ଗଠିତ ପଞ୍ଚମ ପାଳିର ସରକାର ଦ୍ୱିତୀୟ ଵର୍ଷ ପୂରଣ କରିବ। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ସରକାରଙ୍କ ବିଭିନ୍ନ ବିଭାଗ କେତେ ସଫଳ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ତାହାର ସମୀକ୍ଷା କରିବେ। ଏହି ସମୀକ୍ଷା ମେ’ ୨୫ ପର୍ଯ୍ୟନ୍ତ ଚାଲିବ।

ଶନିବାର ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ପରିଷଦର ସଭ୍ୟମାନଙ୍କୁ ବ୍ୟକ୍ତିଗତ ଭାବରେ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ସଚିବମାନଙ୍କ ଉପସ୍ଥିତିରେ ମନ୍ତ୍ରୀମାନେ ସେମାନଙ୍କ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପାଞ୍ଚଟି ପ୍ରମୁଖ କାର୍ଯ୍ୟକ୍ରମର ସଫଳତା ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ। ଏଥିସହ ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ କିଭଳି କାର୍ଯ୍ୟକାରୀ କରାଯାଇଛି ଏବଂ ଏହା ସେମାନଙ୍କ ବିଭାଗର କାର୍ଯ୍ୟ ଧାରାରେ କିଭଳି ଉନ୍ନତି ଆଣିଛି ଓ ବିଭାଗକୁ କେତେ ଲୋକାଭିମୁଖୀ କରିପାରିଛି ସେ ସମ୍ପର୍କରେ ମଧ୍ୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ। ତେଣୁ ଗଣତନ୍ତ୍ରରେ ଉତ୍ତର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶାର ସାଢ଼େ ଚାରିକୋଟି ଜନତା ଯେଉଁ ଦାୟିତ୍ୱ ଆମକୁ ଦେଇଛନ୍ତି। ଯେଉଁ ପ୍ରତିଶ୍ରୁତି ଆମେ ଲୋକଙ୍କୁ ଦେଇଛୁ ତାକୁ ପାଳନ ଦିଗରେ କେତେ ଦୂର ଆମେ ସଫଳ ହୋଇଛୁ ତାର ହିସାବ ଲୋକଙ୍କୁ ଦେବାକୁ ହେଵ। ଏହା ଗଣତନ୍ତ୍ରର ମର୍ଯ୍ୟଦା ବୃଦ୍ଧି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ ୨୦୧୯ ମେ’ ମାସ ୨୯ ତାରିଖ ଦିନ ନବୀନ ପଟ୍ଟନାୟକଙ୍କ ନେତୃତ୍ଵରେ ଗଠିତ ସରକାର ତାର ପ୍ରଥମ ବୈଠକରେ ଦଳର ନିର୍ବାଚନ ଇସ୍ତାହାରକୁ କାର୍ଯ୍ୟକାରୀ କରିବା ପାଇଁ ନୀତଗତ ନିଷ୍ପତ୍ତି ନେଇଥିଲେ। ଆଗାମୀ ମେ’ ୨୯ ତାରିଖରେ ମନ୍ତ୍ରୀ ପରିଷଦର ସ୍ଵତନ୍ତ୍ର ବୈଠକରେ ବିଭିନ୍ନ ବିଭାଗର ସଫଳତା ଉପସ୍ଥାପନ କରାଯାଇ ଲୋକଙ୍କୁ ଅବଗତ କରାଯିବ। ୨୦୧୪ ନିର୍ବାଚନ ପରେ ମଧ୍ୟ ଦଳର ଇସ୍ତାହାରକୁ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ପରିଷଦ ନୀତଗତ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.