ମେ ୨୫ରେ ସମୂହ ଇସ୍ତଫା ଦେବେ ପ୍ରାଣୀ ଚିକିତ୍ସକ

ଭୁବନେଶ୍ୱର : ସରକାରୀ ଉଦାସୀନତାର ଶିକାର ଓଡ଼ିଶାର ପ୍ରାଣୀଚିକିତ୍ସକମାନେ ଆସନ୍ତା ମେ ୨୫ ତାରିଖରେ ସମୂହ ଇସ୍ତଫା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ରାଜ୍ୟ ସରକାରଙ୍କ ଅଧୀନସ୍ଥ ପ୍ରାଣୀସଂପଦ ବିକାଶ ବିଭାଗରେ କାର୍ଯ୍ୟରତ ପ୍ରାଣୀଚିକିତ୍ସକମାନେ ମୁକ, ନିରୀହ ପଶୁପକ୍ଷୀଙ୍କ ଚିକିତ୍ସା କରିଆସୁଛନ୍ତି। ବାର୍ଷିକ ୧ ପ୍ରତିଶତରୁ କମ୍‍ ବଜେଟ ଅନୁଦାନ ସତ୍ତ୍ୱେ ସେମାନଙ୍କର ନିଷ୍ଠାପର ଓ ନିରବଚ୍ଛିନ୍ନ ଉଦ୍ୟମ ଯୋଗୁଁ ରାଜ୍ୟ ଅର୍ଥନୀତିରେ ବାର୍ଷିକ ପାଖାପାଖି ୪ ପ୍ରତିଶତ ଅବଦାନ ରହିଆସିଛି। ଜାତୀୟ ଯୋଜନାର କାର୍ଯ୍ୟାନ୍ୱୟନରେ ସମଗ୍ର ଦେଶରେ ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ରାଜ୍ୟ ସରକାର ପ୍ରାଣୀଚିକିତ୍ସକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ପରିତାପର ବିଷୟ। ବିଗତ ଦିନରେ ସାଧାରଣ ଡାକ୍ତରଙ୍କ ସହ ସମାନ ପଦମର୍ଯ୍ୟାଦାରେ କାର୍ଯ୍ୟ କରୁଥିବା ପ୍ରାଣୀଚିକିତ୍ସକମାନଙ୍କୁ ସରକାର ଦୀର୍ଘ ୧୫ ବର୍ଷ ହେବ ଏହି ସାମାଜିକ ସମ୍ମାନରୁ ବଞ୍ଚିତ କରିଛନ୍ତି। ପ୍ରାଣୀଚିକିତ୍ସକମାନେ ସାଧାରଣ ଡାକ୍ତରଙ୍କ ପରି ସମାନ ୫ ବର୍ଷ ୬ ମାସର ପାଠ୍ୟକ୍ରମ ପଠନ କରିଥିବା ବେଳେ ଉଭୟ ଡାକ୍ତର ଏଲୋପାଥିକ ଚିକିତ୍ସା କରିଥାନ୍ତି। ଏହିସବୁ ବିଷୟକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଓ ଦେଶର କୋଡିଏରୁ ଊର୍ଦ୍ଧ୍ୱ ରାଜ୍ୟ ସରକାର ଉଭୟ ଡାକ୍ତରଙ୍କୁ ସମାନ ପଦମର୍ଯ୍ୟାଦା ଦେଇଆସୁଛନ୍ତି। ହେଲେ ୧୫ ବର୍ଷ ମଧ୍ୟରେ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ପ୍ରାଣୀଚିକିତ୍ସକମାନେ ଦାବି କରିଆସୁଥିଲେ ମଧ୍ୟ ଓଡ଼ିଶା ସରକାର ଭିତ୍ତିହୀନ କାରଣମାନ ଦର୍ଶାଇ ଟାଳଟୁଳ ନୀତି ଅବଲମ୍ବନ କରିଆସୁଛନ୍ତି। ପ୍ରାଣୀଚିକିତ୍ସକମାନେ ବାରମ୍ବାର ଆନ୍ଦୋଳନ କରିବାକୁ ଚିନ୍ତା କରିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ସମସାମୟିକ ସମସ୍ୟା ଯଥା ବନ୍ୟା, ବାତ୍ୟା, ବାର୍ଡ ଫ୍ଲୁ, କୋଭିଡ-୧୯ ଇତ୍ୟାଦି କାରଣରୁ ନିଜର ସାମାଜିକ ଦାୟିତ୍ୱ ନିର୍ବାହ କରି ଏଥିରୁ ବିରତ ହୋଇଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ସରକାରୀ ଉଦାସୀନତାର ଶିକାର ଓଡ଼ିଶାର ପ୍ରାଣୀଚିକିତ୍ସକମାନେ ପୂର୍ବପରି ନିଷ୍ଠାପର ଭାବେ ସେବା କରିବାର ମନୋବୃତ୍ତି ହରାଇ ବସିଛନ୍ତି। ସରକାରୀ ଅବହେଳାର ପ୍ରତିବାଦରେ କଳା ବ୍ୟାଜ୍‍ ପରିଧାନ ଓ ଏପ୍ରିଲ ୨୫ ତାରିଖରୁ ଡିଜିଟାଲ ସେବା ବର୍ଜନ କରିବେ। ସେହିପରି ମେ ୧ରୁ କଲମ ଛାଡ, ଚିକିତ୍ସାଳୟ ପରିସର, କାର୍ଯ୍ୟ ନିର୍ଘଣ୍ଟ ଓ କାର୍ଯ୍ୟ ଦିବସ ବାହାରେ ସେବା ବିରତି। ଏହାଛଡା ମେ ୧୫ ତାରିଖରୁ ସମୂହ ଛୁଟି ଓ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button