Breaking Newsରାଜ୍ୟ

ମେ’ ସୁଦ୍ଧା ସବୁ ପଞ୍ଚାୟତକୁ ଇଣ୍ଟରନେଟ୍‌

ଭୁବନେଶ୍ୱର : ରାଜ୍ୟ ସରକାର ଗ୍ରାମାଞ୍ଚଳକୁ ଇଣ୍ଟରନେଟରେ ଯୋଡ଼ି ସରକାରୀ ସେବାକୁ ତ୍ୱରିତ୍‌ କରିବା ପାଇଁ ଯୋଜନା କରିଛନ୍ତି। ପ୍ରତି ବ୍ଲକ ଓ ପଞ୍ଚାୟତକୁ ଇଣ୍ଟରନେଟ ସେବା ପାଇଁ ଆରମ୍ଭ ହୋଇଥିବା କାମ ଆଗେଇବା ନେବାପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ମେ’ ସୁଦ୍ଧା ଇଣ୍ଟରନେଟ ସଂଯୋଗ କାମ ସାରିବାକୁ ସେ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି।

ଭାରତ ନେଟ୍‌ ପ୍ରକଳ୍ପର ରାଜ୍ୟସ୍ତରୀୟ କାର୍ଯ୍ୟକାରିତା ନେଇ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ବୁଧବାର ସମୀକ୍ଷା ବୈଠକ କରିଥିଲେ। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀ ମହାପାତ୍ର କହିଲେ ପଞ୍ଚାୟତଗୁଡ଼ିକୁ ହାଇସ୍ପିଡ୍‌ ଇଣ୍ଟରନେଟ ସେବା ଯୋଗାଇବାକୁ ହେବ। ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ଇଣ୍ଟରନେଟ ସବୁଠୁ ବଡ଼ ମାଧ୍ୟମ। ଲୋକଙ୍କୁ ଏହା ସଶକ୍ତ କରିବା ସହ ଦକ୍ଷତା ବୃଦ୍ଧିରେ ସହାୟକ ହେବ। ଗ୍ରାମାଞ୍ଚଳରେ ମିଳିପାରିବ ଗୁଣାତ୍ମକ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା। ହାଇସ୍ପିଡ୍‌ ଇଣ୍ଟରନେଟ ସେବା ମିଳିଲେ ଗାଁ ଗହଳିର ଲୋକେ ଅନ୍‌ଲାଇନ୍‌ରେ ବିଭିନ୍ନ ପ୍ରକାର ସେବା ପାଇପାରିବେ। ଗ୍ରାମ ପଞ୍ଚାୟତଗୁଡ଼ିକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ିହେବ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସ୍କୁଲ, ଡାକ୍ତରଖାନା, ବ୍ୟାଙ୍କ, ଜନସେବା କେନ୍ଦ୍ର ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଟେଲି ମେଡିସିନ୍‌ ସେଣ୍ଟର, କୃଷି କିଓକ୍ସକୁ ଦିଆଯିବ ଇଣ୍ଟରନେଟ ସଂଯୋଗ। ଏହା ସ୍ୱାସ୍ଥ୍ୟ ସେବା, ଇ-ଲର୍ଣ୍ଣିଂ, କୃଷି ବ୍ୟବସାୟିକ କାରବାର ପାଇଁ ସହାୟକ ହୋଇପାରିବ।

ଆଇଟି ସ୍ୱତନ୍ତ୍ର ସଚିବ ମନୋଜ କୁମାର ମିଶ୍ର କହିଲେ ଏବେ ସୁଦ୍ଧା ୩୭୭୦ଟି ପଞ୍ଚାୟତକୁ ପ୍ରଥମ ପର୍ଯ୍ୟାୟରେ ଇଣ୍ଟରନେଟ ସଂଯୋଗ କରାଯାଇଛି। ବାକି ବ୍ଲକ ଓ ପଞ୍ଚାୟତକୁ ଦ୍ୱିତୀୟ ପର୍ଯ୍ୟାୟରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ। ଏଥିପାଇଁ ଓକାକ୍‌, ଓପିଟିସିଏଲ୍‌ ଓ ଟାରାସଫ୍ଟ ମିଳିତ ଭାବେ କାମ କରୁଛନ୍ତି। ଦୁଇଟି ପର୍ଯ୍ୟାୟରେ ଗ୍ରାମାଞ୍ଚଳକୁ ଇଣ୍ଟରନେଟ ସଂଯୋଗ କରାଯାଉଛି। ପ୍ରଥମ ପର୍ଯାୟରେ ୩୮୧୦ଟି ପଞ୍ଚାୟତ, ୧୮୧ଟି ବ୍ଲକ ଓ ୧୮ଟି ଜିଲ୍ଲାକୁ ନିଆଯାଇଛି। ଏବେ ସୁଦ୍ଧା ୩୭୭୦ ପଞ୍ଚାୟତ, ୧୭୫ଟି ବ୍ଲକରେ କାମ ସରିଛି। ଦ୍ୱିତୀୟ ପର୍ଯ୍ୟାୟରେ ୨୯୪୫ଟି ପଞ୍ଚାୟତ, ୧୩୩ଟି ବ୍ଲକ, ୧୨ଟି ଜିଲ୍ଲାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ହଜାର କିଲୋମିଟର ଏରିଏଲ୍‌ ଅପ୍ଟିକାଲ୍‌ ଫାଇବର ନେଟୱର୍କ ହେବ। ଏଥିମଧ୍ୟରୁ ୧୩,୪୦୦ କିମି କେବୁଲ କାମ ସରିଲାଣି।

ମତାମତ ଦିଅନ୍ତୁ ।

Back to top button