ମିହିକାଙ୍କୁ ବାହାହେଲେ ‘ବାହୁବଳୀ’ର ଭଲ୍ଲାଲ୍ଦେବ୍

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଫିଲ୍ମ ‘ବାହୁବଳୀ’ରେ ଭଲ୍ଲାଲଦେବ୍ ଭୂମିକାରେ ଅଭିନୟ କରି ବିପୁଳ ଲୋକପ୍ରିୟତା ପାଇଥିବା ସାଉଥ୍ ଷ୍ଟାର ରାଣା ଦଗ୍ଗୁବାତୀ ଗତକାଲି ମିହିକା ବାଜାଜ୍ଙ୍କୁ ବିବାହ କରିଛନ୍ତି। ଏହା ପୂର୍ବରୁ ଦୁହେଁ ମେହନ୍ଦୀ ଓ ନିର୍ବନ୍ଧର ଫଟୋ ସୋଶାଲ ମିଡିଆରେ ଶେଆର୍ କରିଥିଲେ। ଏବେ ବିବାହ ଫଟୋକୁ ଦେଖି ଶୁଭେଚ୍ଛା ଜଣାଉଛନ୍ତି ଫ୍ୟାନ୍ସ।

ସୋଶାଲ ମିଡିଆରେ ଶେଆର୍ ଫଟୋରେ ରାଣା ଧଳା ଧୋତି ଓ ଗୋଲଡେନ୍ କଲର ଏକ ଦୁପଟା ପକାଇ ମଥାରେ ଟିକା ଲଗାଇଛନ୍ତି। ସେହିପରି ମିହିକା ହ୍ୱାଇଟ୍ ଓ ଗୋଲଡେନ୍ କଲରର ଏକ ଲେହଙ୍ଗା ପିନ୍ଧିଥିବା ଦେଖାଯାଇଛି। କରୋନା କଟକଣା ଯୋଗୁ ସିମୀତ ସଂଖ୍ୟକ ଅତିଥି ଓ ପରିବାର ଲୋକଙ୍କ ଗହଣରେ ଏହି ବିବାହ ସମ୍ପନ୍ନ ହୋଇଛି। ଅତିଥିଙ୍କ ମଧ୍ୟରେ ସାଉଥ୍ ସୁପରଷ୍ଟାର ଅଲୁ ଅର୍ଜୁନ, ରାମ ଚରଣ ଓ ଅଭିନେତ୍ରୀ ସାମନ୍ଥା ରୁଥ୍ ଉପସ୍ଥିତ ଥିଲେ। ରାଣାଙ୍କ ସ୍ତ୍ରୀ ମିହିକା ବଜାଜ୍ ଜଣେ ଇଣ୍ଟେରିଅର୍ ଡେକୋର୍ ଡିଜାଇନର୍। ଡିଉ ଡ୍ରପ୍ ଡିଜାଇନ୍ ଷ୍ଟୁଡିଓ ନାମରେ ତାଙ୍କର ଏକ ବିଜନେସ୍ ରହିଛି।
ସୂଚନାଯୋଗ୍ୟ ଫିଲ୍ମ ‘ବାହୁବଳୀ’ରୁ ଲୋକପ୍ରିୟତା ହାସଲ କରିଥିବା ରାଣା ଦଗୁବତୀ ୨୦୧୦ରେ ତେଲୁଗୁ ଫିଲ୍ମ ‘ଲିଡର’ ଜରିଆରେ ଡେବ୍ୟୁ କରିଥିଲେ। ୨୦୧୧ରେ ଫିଲ୍ମ ‘ଦମ୍ ମାରୋ ଦମ୍’ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ। ଏହାଛଡା ରାଣାଙ୍କୁ ତାମିଲ୍, ତେଲୁଗୁ ଓ ହିନ୍ଦୀର ଅନେକ ଫିଚର ଫିଲ୍ମରେ ଦେଖିବାକୁ ମିଳିଥିଲା।