ମୃତ ବ୍ୟକ୍ତିଙ୍କର ହେବନି କରୋନା ଟେଷ୍ଟ

ଭୁବନେଶ୍ୱର : ଏଣିକି ମୃତ ବ୍ୟକ୍ତିଙ୍କ କରୋନା ପରୀକ୍ଷା କରାଯିବ ନାହିଁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏ ନେଇ ନିର୍ଦ୍ଦେଶନାମା ଜାରି କରିଛି। ମୃତ ବ୍ୟକ୍ତିଙ୍କ ଶବ ହସ୍ତାନ୍ତରରେ ବିଳମ୍ବ ଯୋଗୁ ପରିବାର ଲୋକେ ହନ୍ତସନ୍ତ ହେଉଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶନାମାରେ ରାଜ୍ୟର ଯେଉଁ ସବୁ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ଚାଲିଛି ସେଠାରେ ପ୍ରାଣ ହରାଉଥିବା କରୋନା ରୋଗୀଙ୍କ ସମସ୍ତ ତଥ୍ୟ ୪୮ ଘଣ୍ଟା ଭିତରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କ ବେଡ୍‌ହେଡ୍‌ ଟିକେଟ, ବିଭିନ୍ନ ନମୁନା ପରୀକ୍ଷା ରିପୋର୍ଟ, କୋଭିଡ୍ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରାଜ୍ୟ ସ୍ତରୀୟ ମୃତ୍ୟୁ ଅଡିଟ୍ ଉଦ୍ଦେଶ୍ୟରେ ଏଭଳି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପ୍ରାଣ ହରାଉଥିବା ସମସ୍ତ କୋରନା ରୋଗୀଙ୍କର ମୃତ୍ୟୁର କାରଣ ଜାଣିବା ପାଇଁ ରାଜ୍ୟ ସ୍ତରରେ ଅଡିଟ୍‌ କରାଯିବ।

ଆଡ୍‌ମିଶନ୍ ସମୟରେ ରୋଗୀଙ୍କର ପୂର୍ବରୁ ଥିବା ସମସ୍ତ ରୋଗ ଓ ଲକ୍ଷଣକୁ ରେକର୍ଡ କରିବାକୁ ମଧ୍ୟ ସମସ୍ତ ଡାକ୍ତରଖାନାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସବୁ ରେକର୍ଡ ସହିତ ରୋଗୀଙ୍କର ବିଭିନ୍ନ ପରୀକ୍ଷା ରିପୋର୍ଟକୁ ରାଜ୍ୟ ସ୍ତରୀୟ କମିଟିରେ ଦାଖଲ କରିବାକୁ କୁହାଯାଉଛି। ରୋଗୀଙ୍କର ଏହିସବୁ ରେକର୍ଡ ଓ ରିପୋର୍ଟ ଦାଖଲ କଲା ବେଳେ ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତରଙ୍କ ନାମ ଓ ତାଙ୍କ ଯୋଗାଯୋଗ ନମ୍ବର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ମତାମତ ଦିଅନ୍ତୁ ।