ମୁଣ୍ଡ ନେଉଛି କରୋନା : ୯ ଦିନରେ ଯାଇଛି ୨୦ ହଜାରରୁ ଅଧିକ ଜୀବନ

0

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ଵିତୀୟ ଲହର ଚିନ୍ତା ବଢାଇଛି। ସଙ୍କ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସୃଷ୍ଟି କରିଛି ରେକର୍ଡ। ଏପ୍ରିଲ ୨୦ ତାରିଖ ପରଠାରୁ କରୋନା ଦେଖାଇଛି ଅସଲ ରୂପ। ୨୮ ତାରିଖ ସୁଦ୍ଧା ୯ ଦିନରେ ଦେଶରେ ୨୦ ହଜାର ଲୋକଙ୍କ ଜୀବନ ନେଇଛି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଏପ୍ରିଲରେ ଏପର୍ଯ୍ୟନ୍ତ ଦେଶରେ ହୋଇଥିବା ମୃତ୍ୟୁର ୫୦ ପ୍ରତିଶତରୁ ଅଧିକ ଲୋକ ଏହି ସମୟରେ ପ୍ରାଣ ହରାଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନ ତଥ୍ୟ କହୁଛି ୧ରୁ ୨୮ ଏପ୍ରିଲ ମଧ୍ୟରେ ଭାରତରେ ୩୮ ହଜାର ୨୬୦ଜଣଙ୍କ ମୃତ୍ୟୁ ହୋଇଛି। ୨୦ ଏପ୍ରିଲ ପରଠାରୁ ବୁଧବାର ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୦ ହଜାର ୬୫୭ ଜଣ ପ୍ରାଣ ହରାଇଛନ୍ତି। ଗତ ଏକ ସପ୍ତାହ ହେଲା ଦୈନିକ ମୃତ୍ୟୁ ମାମଲା ନୂଆ ରେକର୍ଡ କରୁଛି।

କରୋନା ସଂକ୍ରମଣ ମଧ୍ୟ ବଢିଚାଲିଛି। ଦିନକରେ ୩ଲକ୍ଷ ୬୦ ହଜାର ୯୬୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରଥମ ଥର ଦୈନିକ ମୃତ୍ୟୁ ମାମଲା ୩ ହଜାର ଟପିଛି। ଗତ ୨୪ ଘଣ୍ଟାରେ ୩ ହଜାର ୨୯୩ ଜଣ ପ୍ରାଣ ହରାଇଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ସର୍ବାଧିକ ମୃତ୍ୟୁ ହୋଇଥିବା କୁହାଯାଇଛି।

ଏପ୍ରିଲ ୧ରୁ ୧୩ ତାରିଖ ମଧ୍ୟରେ ଦେଶର ଦୈନିକ ମୃତ୍ୟୁ ସଂଖ୍ୟା ୧ ହଜାରରୁ ତଳକୁ ରହୁଥିଲା। ହେଲେ ଏପ୍ରିଲ ୧୮ ତାରିଖରେ ମୃତ୍ୟୁ ସଂଖ୍ୟା ୧ ହଜାର ୫୦୦ ଛୁଇଁଥିଲା। ସେହିପରି ଏପ୍ରିଲ ୧୪ରୁ ୧୭ ତାରିଖ ପର୍ଯ୍ୟନ୍ତ ଦୈନିକ ମୃତ୍ୟୁ ହାର ୧୫ ଶହରୁ କମ୍‌ ରହୁଥିବା ବେଳେ ୨୧ ତାରିଖରେ ଏହି ସଂଖ୍ୟା ୨୦୨୩ରେ ପହଞ୍ଚିଥିଲା। ବୁଧବାର ସଂଖ୍ୟା ୩ ହଜାର ଆଗକୁ ଯାଇଛି।

ବୁଧବାର ସୂଚନା ଅନୁଯାୟୀ ପ୍ରତି ମିନିଟ୍‌ରେ ଦେଶରୁ ୨ ଜଣଙ୍କ ମୁଣ୍ଡ ନେଉଛି କାରୋନା। ଗତବର୍ଷ ଜୁନ ମାସରେ ଦେଶରେ ଦୈନିକ ମୃତ୍ୟୁ ସଂଖ୍ୟା ୨ହଜାରରେ ପହଞ୍ଚିଥିଲା। ଚଳିତବର୍ଷ ଏପ୍ରିଲ ମାସରେ ଏପର୍ଯ୍ୟନ୍ତ ୫୭.୭୫ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସିଛି। ସେଥିରୁ ୨୬.୭୬ଲକ୍ଷ କେବଳ ଏପ୍ରିଲ ୨୦ରୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.