ନାବାଳିକା ହାତଗଣ୍ଠି ପକାଇଲେ ପୁରୋହିତ ଦାୟୀ ହବେ

0

ଅନୁଗୁଳ : ବାଲ୍ୟ ବିବାହ ବିରୋଧ ଆଇନ୍-୨୦୦୬ ଅନୁଯାୟୀ ଝିଅକୁ ୧୮ବର୍ଷ ଓ ପୁଅକୁ ୨୧ବର୍ଷ ବୟସରୁ କମ୍ ହେଲେ ବିବାହ ମନା। କିନ୍ତୁ ଅନେକ ସ୍ଥାନରେ ଏହି ନିୟମର ହେଉଛି ଉଲଂଘନ। ବର-କନ୍ୟା ପକ୍ଷଙ୍କ ସହମତିରେ ବିବାହ କରାଯାଉଛି। ଆଇନକୁ କଡ଼ାକଡ଼ି ପାଳନ କରିବାକୁ ଅନୁଗୁଳ ଜିଲ୍ଲାପାଳ ଜିଲ୍ଲାର ସବୁ ସରପଞ୍ଚମାନଙ୍କୁ ଚିଠି ଲେଖିଥିବା ଜଣାପଡିଛି।

ଜିଲ୍ଲାପାଳ ଲେଖିଛନ୍ତି ନାବାଳିକା ବାହାଘର ପାଇଁ ତାଙ୍କ ବାପା, ମା ଯେତିକି ଦାୟୀ ହାତଗଣ୍ଠି ପକାଇଥିବା ପୁରୋହିତ ମଧ୍ୟ ସମ ପରିମାଣରେ ଦୋଷୀ। ବାହାଘର ପୂର୍ବରୁ ପୁରୋହିତମାନେ ବର-କନ୍ୟାଙ୍କ ବୟସ ଜାଣନ୍ତୁ। ବେଦିରେ ବସିଲା ବେଳେ ଉଭୟଙ୍କର ବୟସ କେତେ ତାହା ଜାଣିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କେବଳ ପୁରୋହିତ ନୁହେଁ, ବିବାହ ଅନୁମତି ଦେଉଥିବା କଲ୍ୟାଣ ମଣ୍ଡପ ମାଲିକ, ବାହାଘରରେ ସାମିଲ୍ ଗାଡ଼ିର ମାଲିକ ଓ ବ୍ୟାଣ୍ଡ୍ ପାର୍ଟିକୁ ମଧ୍ୟ ଜିଲ୍ଲାପାଳ ଚିଠିରେ ସଚେତନ କରାଇଛନ୍ତି।

ବିଶେଷକରି ପୁରୋହିତ, ଟେଣ୍ଟ୍ ହାଉସ୍ ମାଲିକ, ଗାଡ଼ି ଓ କ୍ୟାଟେରିଂ ମାଲିକଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳ ସରପଞ୍ଚଙ୍କ ନିକଟକୁ ଚିଠି ପଠାଇଛନ୍ତି। ନିଜ ଅଞ୍ଚଳର ଏହି ସବୁ ମାଲିକମାନଙ୍କୁ ବାଲ୍ୟବିବାହ ଆଇନ୍ ସମ୍ପର୍କରେ ସଚେତନ କରାଇବା ପାଇଁ ଚିଠିରେ ଦେଇଛନ୍ତି ପରାମର୍ଶ।

Leave A Reply

Your email address will not be published.