ନନ୍ଦିଗ୍ରାମରୁ ଜିତିବା ପାଇଁ ମୋତେ ସାହାଯ୍ୟ ମାଗିଥିଲେ ଦିଦି : ବିଜେପି ନେତା ଜାରି କଲେ ଅଡିଓ ଟେପ୍

ନନ୍ଦିଗ୍ରାମ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି। ହାରଜିତକୁ ନେଇ ଏହି ନିର୍ବାଚନମଣ୍ଡଳୀ ଉପରେ ରହିଛି ସମସ୍ତଙ୍କ ନଜର ରହିଥିବା ବେଳେ ବିଜେପି ନେତା ପ୍ରଲୟ ପାଲ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ପୂର୍ବରୁ ମୋତେ ଫୋନ କରି ତାଙ୍କୁ ନନ୍ଦିଗ୍ରାମରୁୁ ଜିତିବା ପାଇଁ ସାହାଯ୍ୟ ମାଗିଥିଲେ। କେବଳ ସେତିକି ନୁହେଁ ପ୍ରଲୟ ଏକ ଅଡିଓ ଟେପ ମଧ୍ୟ ଜାରି କରିଛନ୍ତି। କିନ୍ତୁ ଟିଏମସି କହିଛି ଅଡିଓରେ ଶୁଭୁଥିବା ସ୍ଵର ଦିଦିଙ୍କର ନୁହେଁ।
ଶନିବାର ବିଜେପି ପକ୍ଷରୁ ଜାରି ଭିଡିଓରେ ପ୍ରଲୟ କହିଛନ୍ତି ଦିଦି ଚାହୁଁଥିଲେ ମୁଁ ତାଙ୍କ ପାଇଁ କାମ କରେ ଓ ପୁଣି ଥରେ ଟିଏମସିରେ ସାମିଲ ହୁଏ। କିନ୍ତୁ ମୁଁ ଦୀର୍ଘଦିନ ଧରି ଶୁଭେନ୍ଦୁ ଅଧିକାରୀ ଓ ଅଧିକାରୀ ପରିବାର ସହିତ ଜଡିତ ଅଛି। ବର୍ତ୍ତମାନ ମୁଁ ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରୁଛି। ଯେତେବେଳେ ସିପିଆଇ (ଏମ୍) ନନ୍ଦିଗ୍ରାମର ଲୋକଙ୍କୁ ନିର୍ଯାତନା ଦେଉଥିଲା ସେତେବେଳେ ଅଧିକାରୀ ପରିବାର ଆମ ପାଇଁ ଠିଆ ହୋଇଥିଲେ। ମୁଁ ସେମାନଙ୍କ ବିରୋଧରେ ଯାଇ ନାହିଁ ଏବଂ ମୁଁ କେବେ ଏଭଳି କରିବା ପାଇଁ ସାହାସ କରିବି ନାହିଁ।