ଦିଲ୍ଲୀ ହିଂସା: ୧୧୦୦ଙ୍କୁ ଚିହ୍ନଟ କରାଯାଇଛି

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ସମ୍ପୃକ୍ତ ଥିବା ୧୧୦୦ ଜଣଙ୍କୁ ଚିହ୍ନଟ କରାଯାଇଛି। ପୋଲିସର ୪୦ଟି ଟିମ ଗଠନ କରାଯାଇ ଏମାନଙ୍କର ସନ୍ଧାନ କରାଯାଉଛି। ପ୍ରାୟ ୩୦୦ ଜଣ ଉତ୍ତରପ୍ରଦେଶରୁ ଆସିଥିଲେ। ବୁଧବାର ସଂସଦରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସେ କହିଛନ୍ତି ଦଙ୍ଗା ପୂର୍ବପ୍ରସ୍ତୁତି ଅନୁସାରେ ହୋଇଥିବା ବେଳେ ଦିଲ୍ଲୀ ପୋଲିସ ମାତ୍ର ୩୬ ଘଣ୍ଟାରେ ଏହାକୁ ନିୟନ୍ତ୍ରଣ କରିଥିଲା। ସେ କହିଛନ୍ତି ଏହି ହିଂସାକାଣ୍ଡରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ ପ୍ରାୟ ୭୦୦ଟି ଏଫଆଇଆର ରୁଜ୍ଜୁ କରାଯାଇଛି। ପୁଲିସ ପ୍ରାୟ ୧୫୦ଟି ମାରଣାସ୍ତ୍ର ଜବତ କରାଯାଇଥିବା ବେଳେ ମାରଣାସ୍ତ୍ର ଆଇନ ଅନୁସାରେ ୪୯ଟି ମାମଲା ରୁଜ୍ଜୁ ହୋଇଛି। ଶାହା କହିଛନ୍ତି ଫେବ୍ରୁଆରି ୨୨ରୁ ୨୭ ମଧ୍ୟରେ ହୋଇଥିବା ଏହି ସାଂପ୍ରଦାୟିକ ଦଙ୍ଗାରେ ପ୍ରାୟ ୫୨ ଜଣ ମୃତ୍ୟୁବରଣ କରିଛନ୍ତି। ୫୨୬ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।