ପଶ୍ଚିମବଙ୍ଗକୁ ହଜାରେ କୋଟି ବାତ୍ୟା ସହାୟତା

କୋଲକାତା: ସାମୁଦ୍ରିକ ବାତ୍ୟା ଅମ୍ପନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିଛି । ଏହି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା କ୍ଷତିଗ୍ରସ୍ତ ଅଚଂଳ ପରିଦର୍ଶନ କରିଛନ୍ତି । ଆଉ ଘୋଷଣା କରିଛନ୍ତି ୧ ହଜାର କୋଟିର ଅଗ୍ରୀମ ସହାୟତା । ଏଥିସହ ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଓ ଆହତଙ୍କ ପାଇଁ ୫୦ ହଜର ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯିବ ବୋଲି ମୋଦି ସୂଚନା ଦେଇଛନ୍ତି ।

ଶୁକ୍ରବାର ମୋଦି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନ ଯୋଗେ ପଶ୍ଚିମବଙ୍ଗରେ ପହଚିଂ ଥିଲେ। ସେଠାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ହେଲିକପ୍ଟରରେ ବାତ୍ୟାଚଂଳ ପରିଦର୍ଶନରେ ଯାଇଥିଲେ । ଆକାଶମାର୍ଗରୁ ୨ ଘଂଟା ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଏହି ବୈଠକରେ ରାଜ୍ୟରେ ହେଇଥିବା କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୧ ହଜାର କୋଟି ଟଙ୍କାର ଆଗୁଆ ଆର୍ଥିକ ସହାୟତା ଘୋଷଣା କରିଥିଲେ ।

ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି। ପଶ୍ଚିମବଙ୍ଗବାସୀଙ୍କ ସହ ପୂରା ଦେଶ ରହିଛି ବୋଲି ମୋଦି କହିଛନ୍ତି। ଏହି ଦୁର୍ଦ୍ଦିନରେ ଭାରତ ସରକାର ରାଜ୍ୟ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେଇଛନ୍ତି। ଆମେ ସ୍ଥିତିକୁ ଆଉ ଥରେ ସମୀକ୍ଷା କରିବୁ। ମୁଁ ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜଗଦୀପ ଧନଖାରଙ୍କ ସହ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛି। ମୁଁ ପଶ୍ଚିମବଙ୍ଗବାସୀଙ୍କୁ କହିବାକୁ ଚାହେଁ ଯେ ରାଜ୍ୟକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ମମତା ସରକାରଙ୍କ ସହ ମିଶି ସବୁ କିଛି କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ମୋଦି କହିଛନ୍ତି, ଗତବର୍ଷ ମେ’ ମାସରେ ଆଉ ଏକ ବାତ୍ୟା ହୋଇଥିଲା। ଏହା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା। ଆମେ ତା’ ବି ମୁକାବିଲା କରିଥିଲୁ। ପୁଣି ବର୍ଷକ ପରେ ଆଉ ବାତ୍ୟା ଆମ ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଛି। ପଶ୍ଚିମବଙ୍ଗ ଏହାଦ୍ୱାରା ଗଭୀର ଭାବେ କ୍ଷତି ସହିଛି।

ମତାମତ ଦିଅନ୍ତୁ ।