ଲକ୍ଡ଼ାଉନ୍ ହୋଇନଥିଲେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୮ ହଜାର ଛୁଇଁଥାନ୍ତା

ନୂଆଦିଲ୍ଲୀ : ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ମାର୍ଚ୍ଚ ୨୩ ତାରିଖରୁ ଦେଶରେ ଲାଗୁ ହୋଇଥିଲା। ଏବେ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ଜାରି ରହିଛି। ଚଳିତମାସ ପର୍ଯ୍ୟନ୍ତ ରହିଛି ଏହାର ଅବଧି। ମାତ୍ର କିଛି ବର୍ଗ ଏହାକୁ ସମାଲୋଚନା କରୁଛନ୍ତି। ଲକ୍ଡ଼ାଉନ ଅବଧି ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀମାନେ। ଯଦି ଦେଶରେ ଲକ୍ଡ଼ାଉନ ଘୋଷଣା ହୋଇ ନ ଥାନ୍ତା ତାହେଲେ ଏଯାବତ୍ ୨୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଥାନ୍ତେ। ମୃତ୍ୟୁସଂଖ୍ୟା ୭୮ ହଜାର ଛୁଇଁଥାନ୍ତା। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଦେଶରେ ସଠିକ୍ ସମୟରେ ଲକ୍‌ଡାଉନ୍‌ ଲାଗୁ ହେବାରୁ ୨୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେବାରୁ ବଞ୍ଚି ଯାଇଛନ୍ତି। ୬୮ ହଜାର ଲୋକଙ୍କୁ କରୋନା ମୃତ୍ୟୁରୁ ରକ୍ଷା କରାଯାଇ ପାରିଛି। ନଚେତ କରୋନାରେ ୩୭ ହଜାରରୁ ୭୮୦୦୦ ଜଣଙ୍କ ମୃତ୍ୟୁ ହୋଇଥାନ୍ତା। ସଂକ୍ରମିତଙ୍କ ସଂଖ୍ୟା ୧୪ ରୁ ୨୯ ଲକ୍ଷରେ ପହଞ୍ଚିଥାନ୍ତା। ପବ୍ଲିକ ହେଲ୍‌ଥ ଫାଉଣ୍ଡେସନ ଅଫ ଇଣ୍ଡିଆ ତଥ୍ୟ ଆଧାରରେ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ସମଗ୍ର ବିଶ୍ଵ ଏବେ କରୋନା ସଙ୍କଟ ଦେଇ ଗତି କରୁଛି। ଏ ପର୍ଯ୍ୟନ୍ତ ୫୨୧୯୯୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୫୧୦୮ ଜଣ ମୃତ୍ୟୁବରଣ କରିଛନ୍ତି। ସବୁଠୁ ଅଧିକ ଜନସଂଖ୍ୟାବହୁଳ ଦେଶ ଭାରତ ଏହି ମହାମାରୀର କଡା ମୁକାବିଲା କରିଛି। ଭାରତରେ ଏବେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଏହାର ସବୁଠୁ ବଡ ମହତ୍ଵପୂର୍ଣ୍ଣ କାରଣ ହେଉଛି ଲକ୍‌ଡାଉନ୍‌ ନିଷ୍ପତ୍ତି।

ମତାମତ ଦିଅନ୍ତୁ ।