ନେପାଳରେ ଜବରଦଖଲ କରି ଚୀନ୍‌ ଗଢ଼ିଛି କୋଠା

ନୂଆଦିଲ୍ଲୀ : ବିସ୍ତାରବାଦ ନୀତି ପାଇଁ ଚୀନ ପାଖରେ ବନ୍ଧୁତାର କିଛି ମାନେ ନାହିଁ। ନିଜ ସ୍ଵାର୍ଥ ସାଧନ ନିମନ୍ତେ ପଡୋଶୀମାନଙ୍କ ସହିତ କରୁଛି ଛଳନା। ସହାୟତା ନାମରେ ପାକିସ୍ଥାନାକୁ ଋଣ ଜାଲରେ ଛନ୍ଦି ଅନେକ ଅଞ୍ଚଳରେ ଆଧିପତ୍ୟ ବିସ୍ତାର କରିଥିବା ବେଳେ ସୁଖଦୁଃଖର ବନ୍ଧୁ ସାଜିଥିବା ନେପାଳକୁ ମଧ୍ୟ ଛାଡ଼ିନାହିଁ। କୌଣସି ଅନୁମତି ନନେଇ ନେପାଳର ଏକ ଅଞ୍ଚଳକୁ ଜବର ଦଖଲ କରି ଚୀନ୍‌ ନିର୍ମାଣ କରିଛି ୯ଟି କୋଠା। ହୁମ୍‌ଲା ଜିଲ୍ଲା ଅନ୍ତର୍ଗତ ଏକ ଅଞ୍ଚଳକୁ କବଜା କରି ସେଠାକୁ ନେପାଳୀ ନାଗରିକମାନଙ୍କୁ ଛାଡୁନଥିବା ଜଣାପଡିଛି।

ସ୍ଥାନୀୟ ଗ୍ରାମ କାଉନ୍‌ସିଲ୍‌ର ଅଧ୍ୟକ୍ଷ ବିଷ୍ଣୁ ବାହାରଦୁର ଲାମା ସେ ଅଞ୍ଚଳ ପରିଦର୍ଶନରେ ଯିବା ପରେ କଥା ଲୋକଲୋଚନକୁ ଆସିଛି। ତାଙ୍କ ସୂଚନା ହେଲା ଚୀନ୍ ସୈନିକମାନେ ଲାପ୍‌ଚା ଗାଁର ଲିମି ସାହିରେ କୋଠା ନିର୍ମାଣ ଶେଷ କରିଛନ୍ତି। କୋଠା ନିର୍ମାଣ ହୋଇଥିବା ଗାଁର ସେ ପଟକୁ ଯିବା ଲାଗି ତାଙ୍କୁ ଅନୁମତି ଦିଆଯାଇ ନ ଥିଲା।

ଲାମା କହିଛନ୍ତି ସେ ଚୀନା ସୈନିକମାନଙ୍କ ସହ କଥାବାର୍ତ୍ତା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ତାହା ବ୍ୟର୍ଥ ହୋଇଥିଲା। ସେମାନେ କିଛି ଉତ୍ତର ନ ଦେଇ ତାଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ। ଏହାପରେ ଲାମା ତାଙ୍କ ମୋବାଇଲ୍‌ ଫୋନ୍‌ରେ ନବନିର୍ମିତ କୋଠାର ଫଟୋ ଉତ୍ତୋଳନ କରି ଆଣିଥିଲେ। ସେଥିରୁ ଜଣାପଡୁଛି ନେପାଳ ଅଞ୍ଚଳର ଦୁଇ କିଲୋମିଟର୍ ଅଭ୍ୟନ୍ତରରେ ଉକ୍ତ କୋଠା ସବୁ ନିର୍ମାଣ କରାଯାଇଛି। ଦୁଇ ମାସ ତଳେ ଚୀନ୍ ନେପାଳର ଗୋର୍ଖା ଜିଲ୍ଲା ଅନ୍ତର୍ଗତ ରୁଇଟି ଗାଁକୁ ନିଜ ଅଞ୍ଚଳରେ ସାମିଲ କରିଥିଲା।

ମତାମତ ଦିଅନ୍ତୁ ।