ନିର୍ଦ୍ଧାରିତ ସମୟରେ ଯୋଜନାଗୁଡ଼ିକ ସାରିବା ଉପରେ ମନ୍ତ୍ରୀ ଡ. ସାହୁଙ୍କ ଗୁରୁତ୍ୱ

ଭୁବନେଶ୍ୱର : ଚାଷ କାର୍ଯ୍ୟ ସମୟକୁ ଅପେକ୍ଷା କରେ ନାହିଁ। ତେଣୁ କୃଷି କାର୍ଯ୍ୟ ନିମନ୍ତେ ବିଭାଗ ପକ୍ଷରୁ ପ୍ରସ୍ତୁତ ହେଉଥିବା ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।

ସୋମବାର କୃଷି ବିଭାଗର ସମସ୍ତ ସ୍କିମ୍‌ ଅଧିକାରୀଙ୍କ ସହିତ ଆୟୋଜିତ ଭର୍ଚୁଆଲ ବୈଠକରେ ଯୋଗଦେଇଥିଲେ ମନ୍ତ୍ରୀ ଡ. ସାହୁ। ଏହି ଅବସରରେ ବିଭିନ୍ନ ଯୋଜନା ବାବଦ ଖର୍ଚ୍ଚର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ। ଯୋଜନା କାର୍ଯ୍ୟକାରିତାର ଆଗୁଆ ପଦକ୍ଷେପ, ଠିକ୍‌ ସମୟରେ ବିଭିନ୍ନ କୃଷି ସାମଗ୍ରୀର ବିତରଣ ଓ ସଠିକ୍‌ ସମୟରେ ଯୋଜନା କାର୍ଯ୍ୟକାରୀ ଓ ସ୍ୱଚ୍ଛତା ଅବଲମ୍ବନ ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ।

ବୈଠକରେ ବିଜିଆର୍‌ଇଆଇ, ଏନ୍‌ଏଫ୍‌ଏସ୍‌ଏମ୍‌ (ଡାଲି, ତୈଳବୀଜ, ମୋଟା ଶସ୍ୟ, ପୁଷ୍ଟି ଶସ୍ୟ, ପିକେଭିୱାଇ, କପା, କୃଷି ଯାନ୍ତ୍ରିକୀକରଣ ଆଦି ଯୋଜନା ସଂପର୍କରେ ଆଲୋଚନା ହୋଇଥିଲା। ରାଜ୍ୟରେ ଫସଲର ବିିବିଧିକରଣ ଓ ତୈଳବୀଜ ଚାଷର ପ୍ରସାର ନିମନ୍ତେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଚଳିତ ଖରିଫ୍‌ ଋତୁରେ କିପରି ଚିନାବାଦାମ ବିହନ ଉତ୍ପାଦନ ବୃଦ୍ଧି କରିହେବ ସେ ସଂପର୍କରେ ପ୍ରସ୍ତାବ ଦେବା ପାଇଁ କହିଥିଲେ। ବିଭିନ୍ନ ଯୋଜନାର ବାର୍ଷିକ କାର୍ଯ୍ୟକ୍ରମ ଓ କାର୍ଯ୍ୟାନ୍ୱୟନର ସଫଳ କାହାଣୀକୁ ରାଜ୍ୟର ଚାଷୀଭାଇମାନଙ୍କ ଅବଗତି ନିମନ୍ତେ ସାମାଜିକ ଗଣମାଧ୍ୟମରେ ଚାର୍ଟ ମେସେଜ ଓ ଭିଡ଼ିଓ ମାଧ୍ୟମରେ ପ୍ରଚାର କରିବା ପାଇଁ କହିଥିଲେ। କୃଷି ଯୋଜନା ପ୍ରସ୍ତୁତ ସମୟରେ ଫସଲର ବିବିଧିକରଣ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ମନ୍ତ୍ରୀ କହିଥିଲେ। ପିକେଭିୱାଇ କାର୍ଯ୍ୟକ୍ରମରେ ଓଡ଼ିଶାର ୭୫୦ ମେଟି୍ରକ୍‌ ଟନ୍‌ ଜୈବିକ ସୁବାସିତ ଚାଉଳ ଇରାନ ଓ ୟୁନାଇଟେଡ୍‌ ଆରବ ଏମିରଟସ୍‌କୁ ରପ୍ତାନୀ ହୋଇଥିବା କଥା ଉଲ୍ଲେଖ କରି ମନ୍ତ୍ରୀ ଡ. ସାହୁ କହିଲେ ସଫଳ କାହାଣୀର ଉପଯୁକ୍ତ ପ୍ରଚାରପ୍ରସାର ଫଳରେ ଚାଷୀମାନେ ଅଧିକ ଉତ୍ସାହିତ ହେବେ।
ରାଜ୍ୟରେ ଜଳନିଧି ଓ ସୌର ଜଳନିଧି ଯୋଜନାର ଅଗ୍ରଗତି ଓ ଏହାକୁ ଅଧିକ ଫଳପ୍ରଦ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ କରିବା ପାଇଁ ମନ୍ତ୍ରୀ କହିଥିଲେ। ଏଥି ସହିତ ଓଡ଼ିଶା ନିମନ୍ତେ ଏକ କୃଷି କ୍ୟାଲେଣ୍ଡର ଓ ବିଭିନ୍ନ କୃଷି କାର୍ଯ୍ୟସୂଚୀର ଖସଡ଼ା ପ୍ରସ୍ତୁତ କରିବା ସହିତ ଗଣମାଧ୍ୟମ ଜରିଆରେ ଏହାର ବହୁଳ ପ୍ରସାର କରିବା ଉପରେ ଗୁରୁତ୍ୱ ଦେଇଥିଲେ। କୃଷକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ନିୟମିତ ଭର୍ଚୁଆଲ ବୈଠକ କରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ଭିଭାଗର ସ୍ୱତନ୍ତ୍ର ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ନିର୍ଦ୍ଦେଶକ ଡ. ଏମ୍‌. ମୁଥୁକୁମାର, ସମସ୍ତ ସ୍କିମ୍‌ ଅଧିକାରୀ ଓ ଯୁଗ୍ମ ନିର୍ଦ୍ଦେଶକମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button