ନିଷ୍ଠୁର ସାଜିଲା ପୁଅ

ବାରିପଦା: ମା’ଟିଏ ଜନ୍ମ କରିଥାଏ ସନ୍ତାନକୁ, ମନରେ ଅସୁମାରୀ ସ୍ଵପ୍ନ ଥାଏ, ମା’ର ବୃଦ୍ଧ କାଳରେ ତାଙ୍କର ଆଶାବାଡି ହେ ସେହି ସନ୍ତାନ। ସେହି ସନ୍ତାନ ବଡ ହେଲା ପରେ ଯେତେବେଳେ ବାପା ମା’ଙ୍କୁ ଭୁଲିଯାଏ ସେତେବେଳେ ସେ ବାପା ମା ହେଇଯାନ୍ତି ଅସହାୟ। ସେଭଳି ଏକ ଘଟଣା ଘଟିଛି ମୋରଡା ବ୍ଲକ ନୂଆଗାଁ ପଞ୍ଚାୟତର ସନ୍ୟାସୀ ଗ୍ରାମରେ। ଆଠ ବର୍ଷ ହେଲାଣି ମୁହଁ ଫେରି ଚାହିଁ ନାହାନ୍ତି ସନ୍ତାନମାନେ। ସେ ମା’ର କୋହ ଓ ବାପାର ଲୁହ ଭରା ଆଖିର ଲୁହ ପୋଛିବା ପାଇଁ ଦିନେ ବି ଆସିଲେନି ପୁଅମାନେ। ଦିନ ରାତି ଖରା ବର୍ଷା ଗୋଟିଏ ଛୋଟିଆ ପାଲ ତଳେ ଦିବ୍ୟାଙ୍ଗ ମା ଫୁଳମଣୀ ହାଁସଦା ଓ ଅସହାୟ ବାପା ଦୁଇକା ହାଁସଦା ଜୀବନ ଅତିବାହିତ କରୁଛନ୍ତି।

ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିଥିଲେ। ଆଜି ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦିବ୍ୟାଙ୍ଗ ବୃଦ୍ଧ ଦମ୍ପତିଙ୍କୁ ନୂଆ ବସ୍ତ୍ର ପ୍ରଦାନ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନରେଶ ଚନ୍ଦ୍ର ବିନ୍ଧାଣି, ଆରଡିଏସିର ସମ୍ପାଦକ ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ।

ନିଗମ ଅଧ୍ୟକ୍ଷଙ୍କ ସହିତ କୁମାରକାନ୍ତ ମାରାଣ୍ଡି, ନାଏବ ସରପଞ୍ଚ କରମଚାନ୍ଦ ମହାନ୍ତ, ରାଜ୍ୟ ସାଧରଣ ସମ୍ପାଦକ ଅବଦୁଲ ହବିବ, ଜୋନାଲ ଛାତ୍ର ବିଜେଡି ସାଧାରଣ ସମ୍ପାଦକ ଭବାନୀ ଶଙ୍କର ଧଡ଼ା, ବିଭୁତି ରାଉତ, ପ୍ରଶାନ୍ତ ଜେନା ଏବଂ ଗ୍ରାମବାସୀଙ୍କ ଉପସ୍ଥିତିରେ ଅସହାୟ ଦିବ୍ୟାଙ୍ଗ ଦମ୍ପତିଙ୍କୁ ବାରିପଦା ସ୍ଥିତ ପାଳବଣି ବୃଦ୍ଧାଶ୍ରମକୁ ସ୍ଥାନାନ୍ତରିତ କରାଯିବା ଏବଂ ଜିଲ୍ଲା ପ୍ରଶାସନ ସେମାନଙ୍କ ସମସ୍ତ ଦାୟିତ୍ୱ ବହନ କରିବ ବୋଲି ଉପରିସ୍ଥ ପ୍ରଶାସନିକ ଅଧିକାରୀମାନେ କହିଥିଲେ।

ମତାମତ ଦିଅନ୍ତୁ ।