ନୂଆ ଖଜୁରିଆ : ଗୁଳିମାଡରେ ଜଣେ ଆହତ, ୪ ଅଟକ

ବ୍ରହ୍ମପୁର : ଗୋସାଇଁ ନୂଆଗାଁ ନୂଆ ଖଜୁରିଆ ବିଲସାହିରେ ଗୁଳିକାଣ୍ଡ। ଗୌରହରି ପ୍ରଧାନ ନାମକ ଯୁବକ ଗୁରୁତର ହୋଇଥିବା ବେଳେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ଗୋସାଇଁ ନୂଆଗାଁ ଥାନା ପୋଲିସ ୪ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ରବିବାର ସନ୍ଧ୍ୟାରେ ନୂଆ ଖଜୁରିଆ ବିଲସାହିର ଗୌରହରି ଓ ଭାଇ ବନବାସୀ ପ୍ରଧାନ ଘର ବାହାରେ ବସିଥିଲେ। ଏହି ସମୟରେ ବୁଡ଼ୁ ଓ ତାଙ୍କ ୪ଜଣ ସହଯୋଗୀ ବାଇକ୍‌ରେ ସେଠାରେ ପହଞ୍ଚି ଗୌରହରିଙ୍କୁ ଆକ୍ରମଣ କରିଥିଲେ। ପରେ ବୁଡ଼ୁ ଏକ ମାଉଜର୍‌ରୁ ୩ ରାଉଣ୍ଡ୍‌ ଗୁଳି ଫୁଟାଇଥିଲା। ବନବାସୀ ଜୀବନ ବିକଳରେ ପଳାଇଥିବା ବେଳେ ଗୌରହରିଙ୍କ ଅଣ୍ଟାରେ ଗୋଟିଏ ଗୁଳି ବାଜିଥିଲା। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ।

ଗୌରହରିଙ୍କ ଭାଇ ବନବାସୀ ଏହି ଅଭିଯୋଗ କରିବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୌରହରିଙ୍କୁ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବୁଡ଼ୁ ସମେତ ୪ଜଣଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Back to top button