ପାଣ୍ଡବାନାଂ ଧନଞ୍ଜୟଃ

॥ ଦୀନବନ୍ଧୁ ନାୟକ ॥
“ବୃଷ୍ଣୀନାଂ ବାସୁଦେବୋଽସ୍ମି ପାଣ୍ଡବାନାଂ ଧନଞ୍ଜୟଃ ।” ଶ୍ରୀଗୀତାର ଦଶମ ଅଧ୍ୟାୟରେ ଶ୍ରୀଭଗବାନ କହୁଛନ୍ତି;- ବୃଷ୍ଣିବଂଶୀମାନଙ୍କ ମଧ୍ୟରେ ମୁଁ ବସୁଦେବପୁତ୍ର ବାସୁଦେବ, ପାଣ୍ଡବମାନଙ୍କ ମଧ୍ୟରେ ମୁଁ ଧନଞ୍ଜୟ, ଅର୍ଜୁନ।

କେବେ କେବେ ମନରେ ପ୍ରଶ୍ନ ଉଠେ, ପାଣ୍ଡବମାନଙ୍କ ମଧ୍ୟରେ ଅର୍ଜୁନଙ୍କୁ କାହିଁକି ବାଛିଲେ ଶ୍ରୀକୃଷ୍ଣ ? ଯୁଧିଷ୍ଠିର ଅର୍ଜୁନଙ୍କ ଅପେକ୍ଷା ନିଶ୍ଚିତ ଭାବେ ଅଧିକ ସତ୍ୟନିଷ୍ଠ, ଧର୍ମନିଷ୍ଠ, ନୀତିନିଷ୍ଠ, ଜ୍ଞାନୀ, ସଜ୍ଜନ, ସାଧୁ, ସରଳ,- ଏହିପରି କେତେ କେତେ ସୁଗୁଣର ଅଧିକାରୀ । ଭୀମସେନ ତ ଶାରୀରିକ ବଳରେ ଅର୍ଜୁନଙ୍କ ଅପେକ୍ଷା ବହୁଗୁଣ ବଳୀୟାନ । ନକୁଳ ଅର୍ଜୁନଙ୍କ ଅପେକ୍ଷା ବହୁତ ସୁନ୍ଦର । ସହଦେବ ବୁଦ୍ଧି, ବିଚକ୍ଷଣତା, ପୂର୍ବାନୁମାନରେ ବହୁତ ଆଗରେ । ଭଗବାନ ଅର୍ଜୁନଙ୍କୁ କାହିଁକି ପାଣ୍ଡବମାନଙ୍କ ମଧ୍ୟରେ ‘ମୁଁ’ ବୋଲି କହିଲେ !

ଯୋଗେଶ୍ୱର ଶ୍ରୀକୃଷ୍ଣ ଯୋଗସ୍ଥ ହୋଇ ଏହି ବାଣୀ ଉଚ୍ଚାରଣ କରିଛନ୍ତି। ତେଣୁ ଏହା ସଂପୂର୍ଣ୍ଣ ସତ୍ୟ । ଏହାର କାରଣ ଖୋଜିବାକୁ ହେଲେ ସାଧାରଣ ସମତଳ ଦୃଷ୍ଟି ଅପେକ୍ଷା ଆହୁରି ସୂକ୍ଷ୍ମ ଦୃଷ୍ଟି ଦରକାର। ଏହା ସାଧୁସନ୍ଥ, ବିଜ୍ଞମାନେ କରିପାରନ୍ତି । ଜଣେ ସାଧାରଣ ଲୋକ ହିସାବରେ ମୋଟାମୋଟି ଗୋ଼ଟିଏ କଥା ମନକୁ ଆସୁଛି ।

ସୁଷମ ଖାଦ୍ୟ ବା ବାଲାନସଡ୍ ଡାଏଟ୍ କଥା ଅଳ୍ପେବହୁତେ ସମସ୍ତେ ଜାଣନ୍ତି । ଶରୀର ଧାରଣ ନିମନ୍ତେ ଖାଦ୍ୟ ନିହାତି ଜରୁରୀ, ପ୍ରାଥମିକ ଜରୁରୀ, ସେ ଖାଦ୍ୟ ସୁଷମ ହେଲେ ଶରୀର ସୁସ୍ଥ, ସନ୍ତୁଳିତ ସୁନ୍ଦର, ସକ୍ଷମ ରହେ । ଦୈନନ୍ଦିନ ପ୍ରତ୍ୟେକ ବ୍ୟକ୍ତି ଯେଉଁ ଖାଦ୍ୟ ଗ୍ରହଣ କରନ୍ତି, ମୁଖ୍ୟତଃ ସେଥିରେ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଖଣିଜ ଲବଣ, ଜୀବନିକା ବା ଭିଟାମିନ୍ ଓ ଜଳ ରହିଥାଏ । ଶରୀରର ଆକାରପ୍ରକାର, ଅବସ୍ଥା ଅନୁସାରେ ଏଗୁଡିକରୁ କେଉଁଥିରୁ କେତେ ଦରକାର ଏବଂ ତାହା ଶରୀରର ବୃଦ୍ଧି ଓ ପ୍ରତିରୋଧକ ଶକ୍ତି ପାଇଁ କେତେ ପରିମାଣର ହେବା ଉଚିତ୍‌। ତାହା ବହୁ ପରୀକ୍ଷାନିରୀକ୍ଷା କରି ବିଶେଷଜ୍ଞମାନେ ସ୍ଥିର କରିଦେଇଛନ୍ତି । ଏହା ବିଜ୍ଞାନ ସମ୍ମତ । ଏହି ଉପାଦାନ ଗୁଡିକର ଭାଗମାପ ଏପଟସେପଟ ହୋଇଗଲେ ବା କମ୍‌ବେଶୀ ହୋଇଗଲେ, ତାହା ଶରୀରକୁ ଅସୁସ୍ଥ କରିପକାଏ । ଆମ ସମସ୍ତଙ୍କର ପ୍ରାୟତଃ ଏ ଅନୁଭୂତି ରହିଛି ଯେ, ଜିହ୍ୱା ଲାଳସାରେ କୌଣସି ସୁସ୍ୱାଦୁ ଖାଦ୍ୟ-ତାହା ଯେତେ ବଳଯୁକ୍ତ ହୋଇଥାଉ ପଛକେ-ମାତ୍ରାରୁ ଅଧିକ ହୋଇଗଲେ, ପାଚନ କ୍ରିୟାରେ ଗଣ୍ଡଗୋଳ କରିଦିଏ। ଫଳତଃ ଶରୀର ଅସୁସ୍ଥ ହୋଇପଡେ । ତେଣୁ ସନ୍ତୁଳିତ ସୁଷମ ଖାଦ୍ୟ ଶରୀର ନିମନ୍ତେ ହିତକାରୀ ।

ଏବେ ଶ୍ରୀମୁଖବାଣୀକୁ ଫେରିବା-“ପାଣ୍ଡବାନାଂ ଧନଞ୍ଜୟଃ ।” ଅର୍ଜୁନଙ୍କ ପରେ ଅନ୍ୟ ଭାଇମାନଙ୍କର ସୁଗୁଣଗୁଡିକ ସନ୍ତୁଳିତ ଅବସ୍ଥାରେ ରହିଥିଲା । ସେ ଯେପରି ଧାର୍ମିକ, ସେପରି ନୈତିକ; ଯେପରି ନୀତିନିଷ୍ଠ, ସେପରି ସତ୍ୟନିଷ୍ଠ, ଧର୍ମନିଷ୍ଠ, ଯେପରି ବଳଶାଳୀ, ସେପରି କୌଶଳୀ, ଯେପରି ସମରବିଜୟୀ, ସେପରି ସ୍ନେହଶୀଳ, ପ୍ରେମିକ, ଭକ୍ତ, ବଂଧୁବତ୍ସଳ । ରୂପଟି ଯେପରି ସୁନ୍ଦର, ଗୁଣଗୁଡିକ ସେପରି ଉକୃଷ୍ଟ । ଏଥିପାଇଁ ଅର୍ଜୁନଙ୍କୁ ଶାସ୍ତ୍ରମାନଙ୍କରେ ‘ଦ୍ୱିତୀକୃଷ୍ଣ’ କୁହାଯାଏ । କହିବାକୁ ଗଲେ, ତାଙ୍କର ସନ୍ତୁଳିତ ବ୍ୟକ୍ତିତ୍ୱ ଥିଲା । ସମ୍ଭବତଃ ଏଇଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପାଣ୍ଡବମାନଙ୍କ ମଧ୍ୟରେ ‘ମୁଁ’ ବୋଲି କହିଛନ୍ତି।

ମହାଭାରତର ବର୍ଣ୍ଣନାରୁ ମିଳେ ଯେ, ପଂଚପାଣ୍ଡବ ପୃଥକ୍ ପୃଥକ୍ ଶରୀର ଧାରଣ କରିଥିଲେ ମଧ୍ୟ ସେମାନଙ୍କର ଆତ୍ମା ଏକ ଥିଲା । ଏକ ଆତ୍ମା, ଏକ ଧର୍ମ, ଏକ ବିଶ୍ୱାସ, ଏକ ଉଦ୍ୟମ, ସେମାନଙ୍କୁ କେଡେକେଡେ ମହାବିପତିରୁ ରକ୍ଷା କରିଛି । ତାହା ପ୍ରାଞ୍ଜଳ ଭାବେ ମହାଭାରତରେ ବର୍ଣ୍ଣିତ ହୋଇଅଛି।

କିନ୍ତୁ ଶାସ୍ତ୍ରପୁରାଣର ଚରିତ୍ର ଘଟଣାଗୁଡିକୁ ପଢି କେବଳ ମନୋରଞ୍ଜନ କଲେ ଲାଭ କଣ ? ଏହି ଉତ୍ତମ ଶିକ୍ଷାଗୁଡିକୁ ବର୍ତ୍ତମାନ କ’ଣ ଆମ ସମାଜରେ ଆମେ ପ୍ରଚଳନ କରି ପାରିବା ନାହିଁ ? ସେ ଯୁଗ ଅପେକ୍ଷା ବର୍ତ୍ତମାନ ତ ବହୁ ବୈଜ୍ଞାନିକ ସାଧନ ସହଜରେ ଉପଲବ୍‌ଧ ! ଏହାର ଉତର ‘ହଁ’ ହେବ। କିନ୍ତୁ ଗୋ଼ଟିଏ ବିରାଟ ପ୍ରଶ୍ନ ଏଇଠି ଉଠେ ଯେ “କିଏ ? କିଏ ଏଗୁଡିକୁ ପ୍ରଚଳନ କରିବ !” ଉତ୍ତର ଆସିବ-‘ଆମେ’। ଆମେ ଅର୍ଥାତ୍ ମୁଁ ଓ ଆପଣ ମିଶି କରି ଆମେ କହୁଛେ । ମୁଁ ଓ ଆପଣ ମିଶିକରି ଏକ ସଂକଳ୍ପ, ଏକ ଲକ୍ଷ୍ୟ, ଏକ ବିଶ୍ୱାସ, ଏକ ଉଦ୍ୟମ କରିବା । ଯଦି ଆପଣ କଲେ, ମୁଁ କଲି ନାହିଁ ବା ମୁଁ କଲି ଆପଣ କଲେ ନାହିଁ, ତାହାହେଲେ ସବୁ ନିଷ୍‌ଫଳ ହୋଇଯିବ ।

ଏହି ମହାନ୍ କର୍ମଟିକୁ କରିବାକୁ ହେଲେ ପାଣ୍ଡବମାନଙ୍କ ପରି ଆମମାନଙ୍କର କୁନ୍ତୀମାତା ଥିବା ଦରକାର। କୁନ୍ତୀ ଯେପରି ତାଙ୍କର ପାଂଚୋଟି ପୁତ୍ରଙ୍କୁ ସତ୍‌ଶିକ୍ଷା ଦେଇ ସେମାନଙ୍କର ଉଜ୍ୱଳ ବଜ୍ରଦୃଢ ଚରିତ୍ର ଗଢି ଦେଇଥିଲେ, ସେହିପରି ଆମ ସମାଜ ପାଇଁ, ଉଜ୍ୱଳ ସମାଜ ପାଇଁ ପ୍ରତ୍ୟେକ ମାତା ତା’ର ସନ୍ତାନଙ୍କୁ ଉପଯୁକ୍ତ କରିବାକୁ ହେବ । ଏହା ମାତୃସମାଜ ପାଇଁ ଏକ ବିରାଟ ଆହ୍ୱାନ। କେବଳ ସ୍ନେହ, ମମତା, ଆଦର ଦେଇ ଯାହା ମାତାମାନଙ୍କର ସନ୍ତାନ ପ୍ରତି ସ୍ୱାଭାବିକ ଦାନ, ଅଟକି ଗଲେ ଭବିଷ୍ୟତର ପଂଚପାଣ୍ଡବ ଗଢି ପାରିବେ ନାହିଁ ।

କେବଳ ମା’ ନୁହଁନ୍ତି, ପତ୍ନୀମାନଙ୍କର ଦାୟିତ୍ୱ ଆହୁରି ଅଧିକ । ସେମାନେ ସନ୍ତାନମାନଙ୍କୁ ଉପଯୁକ୍ତ ଶିକ୍ଷାଦେଇ ଭବିଷ୍ୟତର ସୁନାଗରୀକ ଗଢିବା ସଂଗେ ସଂଗେ ପତିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହ, ପ୍ରେରଣା, ସମାଧାନ ଯୋଗାଇ ଦେଇ ତାଙ୍କର କର୍ତ୍ତବ୍ୟ ପାଳନ କରିବା ଉଚିତ୍ । ତାହାହେଲେ ଆମର ସମାଜ ଏକ ଆଦର୍ଶ ସମାଜରେ ପରିଗଣିତ ହୋଇପାରିବ।

ସା : ତରାପୁର, ପୋ.ଅ.: ଲକ୍ଷ୍ମୀନଗର
ଜିଲ୍ଲା : ଯାଜପୁର
ମୋ : ୯୮୬୧୦୩୪୧୬୩

ମତାମତ ଦିଅନ୍ତୁ ।