ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ୍‌ ସେନାର ‘ଓ୍ଵାର୍ଣ୍ଣିଂ ସଟସ୍‌’

ନୂଆଦିଲ୍ଲୀ : ସୀମାରେ ବିବାଦକୁ ନେଇ ବିବାଦ ସମାଧାନର ସମ୍ଭାବନା କ୍ଷୀଣ ହେଉଛି। ବଢୁଛି ଉତ୍ତେଜନା। ଏହିଭଳି ସମୟରେ ଲଦାଖର ପାଙ୍ଗୋଙ୍ଗ ହ୍ରଦ ନିକଟରେ ଭାରତୀୟ ସେନାକୁ ଚେତାବନୀ ଦେବା ଲକ୍ଷ୍ୟରେ ଚୀନ୍‌ ସେନା ୧୦୦-୨୦୦ ରାଉଣ୍ଡର ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ମସ୍କୋରେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପୂର୍ବରୁ ଚୀନ୍‌ ସେନା ଗତ ସପ୍ତାହରେ ପୂର୍ବ ଲଦାଖର ପାଙ୍ଗଙ୍ଗ ହ୍ରଦର ଉତ୍ତର କୂଳରେ ଫାଙ୍କାରେ ଏହି ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିଲା। ଫିଙ୍ଗର ୪ର ରେଜଲାଇନ ଅର୍ଥାତ ଯେଉଁଠାରେ ଭାରତୀୟ ସେନା ଏହାର ନିୟୋଜନକୁ ଯଥେଷ୍ଟ ବୃଦ୍ଧି କରିଛି ବୋଲି ଚୀନ୍‌ ଅଭିଯୋଗ କରୁଛି। ଆହୁରି ଜଣାପଡିଛି ଚୀନ୍‌ର ପିପୁଲ୍‌ସ ଲିବରେସନ୍‌ ଆର୍ମି (ପିଏଲ୍‌ଏ)ର ବହୁ ସଂଖ୍ୟକ ସୈନ୍ୟ ଆକ୍ରମଣାତ୍ମକ ଭାବେ ଏହି କାଣ୍ଡ ଘଟାଇଛନ୍ତି। ଭାରତୀୟ ସେନା କର୍ମଚାରୀଙ୍କୁ ଭୟଭୀତ କରିବାକୁ ୧୦୦-୨୦୦ ରାଉଣ୍ଡ ଚେତାବନୀ ଗୁଳି ବା ‘ଓ୍ଵାର୍ଣ୍ଣିଂ ସଟସ୍‌’ ଚଳାଇଥିଲେ।

କେବଳ ଏହି ଘଟଣା ନୁହେଁ ସୀମାରେ ଚୀନ ସେନା ବାରମ୍ବାର ଭାରତୀୟ ଯବାନଙ୍କୁ ଉସକାଇବା ସହିତ ଅନୁପ୍ରବେଶ ଉଦ୍ୟମ ଚଳାଇଛି। ପୂର୍ବ ଲଦାଖର ପାଙ୍ଗଙ୍ଗ ସୋ ହ୍ରଦ ନିକଟରେ ଏଥିପାଇଁ ଜୁନ୍‌ ୧୫ ତାରିଖରେ ଦୁଇ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଗତମାସରେ ଦୁଇ ଥର ଭାରତର ସୀମାରେ ଅନୁପ୍ରବେଶ କରିଥିଲା ଚୀନ ସେନା। କିନ୍ତୁ ଭାରତୀୟ ସେନା ଏହି ଉଦ୍ୟମକୁ ପଣ୍ଡ କରିଥିଲା। ଏହି ଘଟଣାର ସପ୍ତାହେ ନପୂରୁଣୁ ଚୀନ ସେନା ପୁଣି ସୀମାରେ ଗୁଳି ଫୁଟାଇ ଆତଙ୍କ ସୃଷ୍ଟି କରିଥିବା ରିପୋର୍ଟରେ କୁହାଯାଇଛି। ଚୀନ ସେନାର ୫୦ ଜଣ ସୈନିକ ପୂର୍ବ ଲଦାଖର ମୁଖପାରି ପର୍ବତ ଶିଖର ନିକଟରେ ଭାରତୀୟ ସେନା ଆଡ଼କୁ ମାଡ଼ି ଆସିଥିଲେ। ଭାରତୀୟ ଯବାନଙ୍କୁ ଗୁରୁତ୍ୱପୂର୍ଣ୍ଣ ମୁଖପାରି ପର୍ବତ ଶିଖର ଓ ରେକିନ ଲାରୁ ହଟାଇବା ସେମାନଙ୍କର ଉଦ୍ଦେଶ୍ୟ ଥିଲା। ଭାରତୀୟ ଯବାନମାନେ ସେମାନଙ୍କୁ ପ୍ରତିରୋଧ କରିବାରୁ ଭାରତୀୟ ଯବାନଙ୍କୁ ଡରାଇବା ପାଇଁ ଚୀନ ସେନା ଗୁଳିଚାଳନା କରିଥିଲା ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।