ପରକୀୟା ସଂପର୍କ : ପତ୍ନୀକୁ ହତ୍ୟା କରି ସ୍ଵାମୀ ଫେରାର

ଭଦ୍ରକ : ପରକୀୟା ସଂପର୍କକୁ ବିରୋଧ କରିବାରୁ ଜୀବନ ଗଲା। ଗଳା କାଟି ହତ୍ୟା କଲା ସ୍ଵାମୀ। ଏହି ଘଟଣା ଭଣ୍ଡାରୀପୋଖରୀ ଥାନା ଅନ୍ତର୍ଗତ ରହଣିଆ ପଞ୍ଚାୟତର ନୂଆପୋଖରୀ ଗାଁରେ ଘଟିଛି। ପତ୍ନୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର ହୋଇଯାଇଛି।
ଖବର ଅନୁଯାୟୀ ନୂଆପୋଖରୀ ଗାଁରେ ଜଣେ ମହିଳାଙ୍କୁ ବିଭତ୍ସ ହତ୍ୟା କରାଯାଇଥିବା ଆଜି ସକାଳେ ଜଣାପଡିଥିଲା। ଗଳା କାଟି ହତ୍ୟା କରାଯାଇଥିବା ଜଣେ ମହିଳାଙ୍କ ମୃତଦେହ ବାଉଁଶବୁଦା ମୂଳରୁ ଉଦ୍ଧାର କରାଯାଇଥିଲା। ମହିଳାଙ୍କ ନାମ ରାଧାରାଣୀ ମହାନ୍ତି। ସେ ସେହି ଗ୍ରାମର ନାରାୟଣ ମହାନ୍ତିଙ୍କ ପତ୍ନୀ। ତାଙ୍କର ୪ ବର୍ଷର ଗୋଟିଏ ଝିଅ ଅଛି।
ମୃତ ମହିଳାଙ୍କ ଭାଇ ସନ୍ତୋଷ ସାହୁ ଅଭିଯୋଗ କରିଛନ୍ତି ନାରାୟଣଙ୍କର ମାଈଁଙ୍କ ସହ ଅନୈତିକ ସଂପର୍କ ଥିଲା। ଏହାକୁ ବିରୋଧ କରୁଥିଲେ ସ୍ରାଧାରାଣୀ। ଗତ ରାତିରେ ଦୁହେଁ କୋଲକାତା ଯିବାପାଇଁ ଘରୁ ବାହାରି ଥିଲେ। ହେଲେ ଗାଁ ମୁଣ୍ଡରେ ରାଧାରାଣୀଙ୍କୁ ଗଳାକାଟି ହତ୍ୟା କରି ନାରାୟଣ ଫେରାର ହୋଇଛି। ଖବର ପାଇ ଭଣ୍ଡାରୀପୋଖରୀ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।