ପଶ୍ଚିମବଙ୍ଗ: ବିଜେପି ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷାଙ୍କୁ ଗୁଳିମାଡ଼

କୋଲକାତା : ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ଆଜି ଅପରାହ୍ନରେ ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ରାଧାରାଣୀ ନାସକରଙ୍କୁ ଅଜ୍ଞାତ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି। ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଷ୍ଣୁପୁର ଅଞ୍ଚଳରେ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ଏକ ୟୁନିଟର ଉପାଧ୍ୟକ୍ଷା ରାଧାରାଣୀ ତାଙ୍କ ରଘୁଦେବପୁର ଗ୍ରାମର ଘର ସମ୍ମୁଖରେ ବସିଥିବା ବେଳେ କେତେକ ଅଜ୍ଞାତ ବନ୍ଧୁକଧାରୀ ଦୁର୍ବୃତ୍ତ ଆସି ଗୁଳି ଚଳାଇ ଥିଲେ। ଏହି ଗୁଳିମାଡ଼ରେ ସେ ଗୁରୁତର ହୋଇଥିବାରୁ ତାଙ୍କୁ ଚିକିତ୍ସା ପାଇଁ କୋଲକାତାର ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ବିଜେପି ଓ ତୃଣମୂଳ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। ବିଜେପି ସାଂସଦ ଲକେଟ୍‌ ଚାଟାର୍ଜୀ ଅଭିଯୋଗ କରିଛନ୍ତି ଶାସକ ତୃଣମୂଳ କଂଗ୍ରେସ ମହିଳା ମୋର୍ଚ୍ଚା ନେତ୍ରୀ ରାଧାରାଣୀଙ୍କ ସ୍ୱରକୁ ନିରବ କରିବାକୁ ଚାହୁଁଥିବାରୁ ଏହି ଘଟଣା ଘଟାଇଛି। ସେହିପରି ତୃଣମୂଳ କଂଗ୍ରେସ ଅଭିଯୋଗକୁ ଅସ୍ୱୀକାର କରି ଏହା ବିଜେପିର ଗୋଷ୍ଠୀ ବିବାଦର ଫଳାଫଳ ବୋଲି କହିଛି। ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପୋଲିସ କାହାରିକୁ ଗିରଫ କରିପାରି ନାହିଁ।

ମତାମତ ଦିଅନ୍ତୁ ।