ପଶ୍ଚିମବଙ୍ଗ ହିଂସାରେ ୫ ମୃତ

0

କୋଲକାତା : ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହି ସମୟରେ ହିଂସାକାଣ୍ଡ ସୃଷ୍ଟି ହେବାରୁ ସିଆଇଏସଫ ଯବାନଙ୍କ ଗୁଳିରେ ୪ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାଛଡା କୁଚ ବିହାର ସିତଲକୁଚୀ ବୁଥରେ ଆନନ୍ଦ ବରମାନ ନାମକ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ଖବର ଅନୁଯାୟୀ ମୃକକଙ୍କ ପରିବାର ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ ସାଙ୍ଗମାନଙ୍କ ସହିତ ଛିଡ଼ା ହୋଇଥିବା ବେଳେ ଟିଏମସିର ଗୁଣ୍ଡାମାନେ ଗୁଳି କରିଥିଲେ। ଏହି ଯୁବକ ବିଜେପି ସମର୍ଥକ ବୋଲି ଜଣାପଡ଼ିଛି। ଏହି ଘଟଣାରେ ନିର୍ବାଚନ କମିଶନ ରିପୋର୍ଟ ତଲବ କରିଛନ୍ତି। କେନ୍ଦ୍ରୀୟ ଡେପୁଟି ନିର୍ବାଚନ କମିଶନର ସୁଦୀପ ଜୈନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ଏନେଇ ଫୋନରେ କଥା ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଯବାନ ଗୁଳି ଚଳାଇଥିଲେ ଓ ଘଟଣା ସ୍ଥଳର ଭିଡିଓ ରେକର୍ଡିଂ ମାଗିଥିବା ଜଣାପଡିଛି।

ଟିଏମସି ସମର୍ଥକମାନଙ୍କ ଅଭିଯୋଗ ହେଲା ସିଆଇଏସଏଫ ଯବାନଙ୍କ ଗୁଳିରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଛି। ସେହିପରି ପ୍ରେସ ବିଜ୍ଞପ୍ତିରେ ଟିଏମସି କହିଛି ସକାଳୁ ବିଜେପି କର୍ମୀମାନେ ଲୋକଙ୍କୁ ଭୋଟ୍ ଦେବାକୁ ବାରଣ କରୁଥିଲେ। ସିଆଇଏସଏଫ ବିଜେପି ସପକ୍ଷରେ ମତଦାନ କରିବାକୁ ଚାପ ପକାଉଛି। ଏହି ଘଟଣା ସିତଲକୁଚୀ ମଥାଭଙ୍ଗା ୧ ନମ୍ୱର ବ୍ଲକର ୧୨୬ ନମ୍ବର ବୁଥରେ ହୋଇଥିବା ଅଭିଯୋଗ କରାଯାଇଛି।

ଅନ୍ୟପକ୍ଷରେ ସ୍ୱତନ୍ତ୍ର ପୋଲିସ ସୁପରଭାଇଜର ତାଙ୍କ ରିପୋର୍ଟରେ ସିତଲକୁଚୀରେ ସିଆଇଏସଏଫ ଗୁଳି ଚଳାଇଥିବା ସୂଚନା ଦେଇଛନ୍ତି। ସେ ରିପୋର୍ଟରେ କହିଛନ୍ତି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଭିଡ଼ ହଟାଇବା ଓ ଲୋକଙ୍କୁ ଉଦ୍ଧାର କରିବାକୁ ସିଆଇଏସଏଫ ଯବାନ ଗୁଳି ଚଳାଇଛନ୍ତି। କାରଣ ହିଂସାରେ ସାମିଲ ଥିବା ଲୋକମାନେ କେନ୍ଦ୍ରୀୟ ସୁରକ୍ଷା ବଳର ଅସ୍ତ୍ରଶସ୍ତ୍ର ଛଡ଼ାଇବାକୁ ଉଦ୍ୟମ କରିବା ସହିତ ମତଦାନ କେନ୍ଦ୍ରରେ ନିଯୁକ୍ତ ଅଧିକାରୀଙ୍କୁ ମାଡ ମାରିଥିଲେ।

Leave A Reply

Your email address will not be published.