ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ : ଅମିତ ଶାହ

ସିଙ୍ଗୁର : ପଶ୍ଚିମବଙ୍ଗରେ ପରବର୍ତ୍ତୀ ସରକାର ଭାରତୀୟ ଜନତା ପାର୍ଟି ଗଠନ କରିବ। ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

ବୁଧବାର ହୁଗୁଲି ଜିଲ୍ଲାର ସିଙ୍ଗୁରରେ ଆୟୋଜିତ ଏକ ରୋଡ୍‌ ସୋ ଯୋଗ ଦେଇଥିବା ସମୟରେ ଜାତୀୟ ସ୍ତରର ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଶ୍ରୀ ଶାହ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ପ୍ରଥମ ତିନିଟି ପର୍ଯ୍ୟାୟରେ ମତଦାନରେ ୯୧ଟି ଆସନ ମଧ୍ୟରୁ ୬୫ରୁ ୬୮ଟି ଆସନରେ ଦଳର ପ୍ରାର୍ଥୀମାନେ ବିଜୟୀ ହେବେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ରାଜ୍ୟରେ ନୂତନ ସରକାର ଗଠନ କରିବ।

ଶ୍ରୀ ଶାହ ଆଜି ସିଙ୍ଗୁରରେ ଦଳ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ସିଙ୍ଗୁରରେ ୨୦୦୭ରେ ଟାଟା ମୋଟର୍ସ ନାନୋ କାର କାରଖାନା ପାଇଁ ଜମି ଅଧିଗ୍ରହଣ ବିରୋଧ ଅଭିଯାନର ନେତୃତ୍ୱ ନେଇଥିଲେ ମମତା ବାନାର୍ଜୀ। ଯାହାଫଳରେ, କମ୍ପାନି ପ୍ରସ୍ତାବିତ କାରଖାନାକୁ ଗୁଜୁରାଟକୁ ସ୍ଥାନାନ୍ତର କରିବାକୁ ବାଧ୍ୟ ହୋଇଥିଲା। ତେବେ ଶ୍ରୀ ଶାହ କହିଛନ୍ତି ମମତାଙ୍କ ଆନ୍ଦୋଳନ ପରଠାରୁ ସିଙ୍ଗୁର ଶିଳ୍ପରୁ ଦୂରେଇ ଯାଇଛି। ଯଦି ବିଜେପି କ୍ଷମତାକୁ ଆସେ ତେବେ ଏହି ଅଞ୍ଚଳର ଦ୍ରୁତ ଶିଳ୍ପାୟନ ପାଇଁ ପ୍ରତିଶ୍ରୁତି ବଦ୍ଧ। ନିର୍ବାଚନ ଜିତିଲେ କୋଲକାତା ଓ ନୂଆଦିଲ୍ଲୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନିକଟସ୍ଥ ସିଙ୍ଗୁରରେ କ୍ଷୁଦ୍ର, ମଧ୍ୟମ ଓବୃହତ ଶିଳ୍ପ ପ୍ରତିଷ୍ଠା ହେବ। ଶିଳ୍ପ ପ୍ରତିଷ୍ଠା କରି ଆମେ ଏହି ଅଞ୍ଚଳର ବିକାଶ କରିବୁ ଓ ଆଳୁ ଚାଷ ପାଇଁ ୫୦୦କୋଟି ଟଙ୍କା ବିନିଯୋଗ କରିବୁ। ଯାହା ଆମ ନିର୍ବାଚନୀ ‘ସଙ୍କଳ୍ପ ପତ୍ର’ରେ ଘୋଷଣା କରିସାରିଛୁ। ମୁହାଁମୁହିଁ ହେବା ପରିବର୍ତ୍ତେ ଆମେ ରାଜ୍ୟରେ ବିକାଶ, ସଂଳାପ ଓ ସହଯୋଗର ରାଜନୀତି କରିବୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button