ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ

ବାରିପଦା : ଦେଶରେ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଚଳନ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ୨୦୧୫ ମସିହାରେ ସାରା ଦେଶରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି । ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏହି ଯୋଜନାରେ ନିର୍ମାଣ ହୋଇଛି ଅନେକ ବାସଗୃହ । ହେଲେ ପ୍ରକୃତ ହିତାଧିକାରୀ ବ୍ଲକ ଓ ଗ୍ରାମପଂଚାୟତ ଦଉଡି ଦଉଡି ଜୋତା ଛିଣ୍ଡି ଗଲେବି ଘର ଖଣ୍ଡିଏ ମିଳୁନଥିବାରୁ ଦୁର୍ଦ୍ଦିନରେ କାଳ କାଟୁଥିବା ଦେଖିବାକୁ ମିଳୁଛି।

ମୟୂରଭଞ୍ଜ ଜିଲ୍ଲାର ପ୍ରଧାନମନ୍ତ୍ରୀ ଅବାସ ନିର୍ମାଣ ତଥ୍ୟକୁ ଅନୁଧ୍ୟାନ କଲେ କଚ୍ଛପ ଗତିରେ ନିର୍ମାଣ କାର୍ଯ୍ୟ ଚାଲିଥିବା ଜଣାପଡୁଛି। ଅନେକ ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ପଡିଛନ୍ତି। କିଏ ଭଙ୍ଗା ଘରେ ବିପଦପୂର୍ଣ୍ଣ ଅବସ୍ଥାରେ ରହୁଛି ତ ଆଉ କେଉଁ ବଶହୀନ ପରପିଣ୍ଡାରେ ମୁଣ୍ଡ ଗୁଞ୍ଜୁଛି। ଏହି ଯୋଜନାରେ ଅନେକଙ୍କୁ ବାସଗୃହ ମିଳିଛି। ହେଲେ ଅସମ୍ପୂର୍ଣ୍ଣ। ଗୃହ ନିର୍ମାଣ କାର୍ଯ୍ୟ ସରୁନି। ସବୁଠାରୁ ଦୁଃଖର ବିଷୟ ଘର ପାଇଥିବା ଗରିବ ଆଦିବାସୀ ହିତାଧିକାରୀ ଦଲାଲଙ୍କ ହାବୁଡ଼ରେ ପଡି ଲୁଟର ଶିକାର ହେଉଥିବା ଅଭିଯୋଗ ଉଠୁଛି। ଯୋଜନାରେ ପ୍ରକୃତ ହିତାଧିକାରୀ ବାସଗୃହ ଖଣ୍ଡେ ପାଉ ନଥିବା ବେଳେ ଅନେକ ଧନୀ ଶ୍ରେଣୀର ଲୋକେ ଏହାକୁ ହାସଲ କରିବାକୁ ସକ୍ଷମ ହେଉଛନ୍ତି। ପଂଚାୟତ ତଥା ବ୍ଲକର ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଘର ପାଇଁ ଲାଂଚ ନେଉଥିବା ଚର୍ଚ୍ଚା ହେଉଛି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ଉଠିବାର କାରଣ ହେଲା ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଂଟା ବ୍ଲକର ବାଉଁଶବିଲା ଗ୍ରାମପଂଚାୟତ ଅନ୍ତର୍ଗତ ପୋଡାଅସ୍ତିଆ ଗ୍ରାମରେ ଭିନ୍ନକ୍ଷମ ପୁଅକୁ ଧରି ରହୁଥିବା ବିଧବା ବୃଦ୍ଧା ପଦ୍ମାବତୀ ସିଂ। ଆର୍ଥିକ ଅବସ୍ଥା ଶୋଚନୀୟ। ତିନିପୁଅଙ୍କ ମଧ୍ୟରୁ ଦୁଇପୁଅ ଇଟାଭାଟିରେ ଦାଦନ ଖଟିିବାକୁ ଯାଇଛନ୍ତି। ମାନସିକ ଓ ଶାରିରୀକ ଭିନ୍ନକ୍ଷମ ପୁଅକୁ ଧରି ଭଙ୍ଗାଦଦରା ଚାଳଘରେ ରହୁଛନ୍ତି ପଦ୍ମାବତୀ। ଘରଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। କିନ୍ତୁ ଉପାୟ ନାହିଁ। ପଲିଥିନ ତଳେ କଟୁଛି ମାଆ-ପୁଅଙ୍କ ଜୀବନ। ଘରଖଣ୍ଡେ ପାଇଁ ବାରମ୍ବାର ପଂଚାୟତ ଓ ବ୍ଲକ ଦଉଡି ଦଉଡି ନୟାନ୍ତ ହୋଇସାରିଲେଣି। ସେହି ଗ୍ରାମର ସ୍ଵଚ୍ଛଳ ବର୍ଗର ଲୋକଙ୍କୁ ଘର ମିଳିଛି। କିନ୍ତୁ ଏମାନଙ୍କ କଥା କେହି ଶୁଣୁ ନାହାନ୍ତି।

ସେହିପରି ସମାନ ଅବସ୍ଥା ବାଉଁଶବିଲା ଗ୍ରାମପଂଚାୟତର ଦାଡଦୁଡ ଗ୍ରାମରେ ରହୁଥିବା ବୁଧୁରାମ ସିଂଙ୍କର। ବୁଧୁରାମ ଶ୍ରମିକ ଭାବେ କାମ କରି ପରିବାର ପୋଷୁଥିଲେ। କିଛିବର୍ଷ ପୂର୍ବରୁ ଦେହ ଖରାପ ହୋଇ ଡାହାଣ ହାତଟି କାମ କରୁନି। ତେଣୁ ଆଗଭଳି କାମ ଧନ୍ଦା କରିପାରୁ ନାହାନ୍ତି। ସ୍ତ୍ରୀ ଆଶାମଣି ମୂଲ ମଜୁରି ଲାଗି ଚଳାଉଛନ୍ତି ପାଂଚପ୍ରାଣୀ କୁଟୁମ୍। ବୁଧୁରାମଙ୍କର ଏକ ମାଟିକାନ୍ଥ ଟାଇଲ ଘର ଥିଲା। ଏବେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ଉପାୟହୀନ ହୋଇ ଭଙ୍ଗାଘରେ ପିଲାଛୁଆଧରି ରହୁଛନ୍ତି। ସେ ମଧ୍ୟ ବାରମ୍ବାର ପଂଚାୟତ ଓ ବ୍ଲକ ଦୌଡି ଘରଖଣ୍ଡେ ପାଉନାହାନ୍ତି। ଏମାନଙ୍କ ଅବସ୍ଥା ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ। କେବଳ ପଦ୍ମାବତୀ ବା ବୁଧୁରାମ ନୁହଁନ୍ତି, ଏମାନଙ୍କ ଭଳି ଜିଲ୍ଲାରେ ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ବାସଗୃହ ପାଇବାରୁ ବଂଚିତ। ଥିଲାବାଲାଙ୍କୁ ଘର ମିଳୁଛି। ଗରିବଙ୍କ ପାଇଁ ନାହିଁ। ଏଭଳି ବେଆଇନ କାର୍ଯ୍ୟ କିଭଳି ବିଭାଗୀୟ ଅଧିକାରୀ ମାନଙ୍କ ବିନା ସଂପୃକ୍ତିରେ ସମ୍ଭବ ହେଉଛି ବୋଲି ବୁଦ୍ଧିଜିବୀ ମହଲରେ ପ୍ରଶ୍ନ ଉଠିଛି। ଏଦିଗରେ ଜିଲ୍ଲାପାଳ ବା ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଅନୁଧ୍ୟାନ କରି ପ୍ରକୃତ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବାର ସୁବନ୍ଦୋବସ୍ତ କରାଗଲେ ସରକାରଙ୍କ ଯୋଜନାର ସଫଳ ରୂପାୟନ ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।