ପ୍ରକୃତି ଓ ପରିବେଶ ପାଇଁ ଉଦ୍ୟମ କରିବା ଆବଶ୍ୟକ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଆଜି ‘ମନ୍କି ବାତ୍’ରେ ପ୍ରକୃତି, ପରିବେଶ ଓ ପଶୁପକ୍ଷୀଙ୍କ ଉପରେ ଗୁରୁତ୍ଵ ଦେଇଛନ୍ତି। ସେ କହିଛନ୍ତି ଏଥିପାଇଁ ସାଧ୍ୟମତେ ଉଦ୍ୟମ କରିବା ଆବଶ୍ୟକ।
ରବିବାର ‘ମନ୍କି ବାତ୍’ର ୭୫ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ପାରାଦୀପ ଅଞ୍ଚଳର ଇଞ୍ଜିନିୟର୍ ଅମରେଶ ସାମନ୍ତଙ୍କ କାର୍ଯ୍ୟର ଦୃଷ୍ଟାନ୍ତ ଦେଇ କହିଛନ୍ତି ଅମରେଶଜୀ ସୃଷ୍ଟି କରିଥିବା କ୍ଷୁଦ୍ର ଜଙ୍ଗଲ ଆଜି ଅନେକ ଗ୍ରାମକୁ ସୁରକ୍ଷା ଦେଉଛି। ବନ୍ଧୁଗଣ, ସମାଜରେ ସମ୍ପୃକ୍ତ ହୋଇ ଆମେ ଏଭଳି ପ୍ରଚେଷ୍ଟା କଲେ ଆଗକୁ ଅତି ଉତ୍ତମ ଫଳ ମିଳିବ।
ଶ୍ରୋତାମାନଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ମୋଡି କହିଲେ ଆପଣମାନଙ୍କ ସହଯୋଗ ବିନା ‘ମନ୍କି ବାତ୍’ର ଯାତ୍ରା ସମ୍ଭବପର ହୋଇ ନ ଥାନ୍ତା। ଏହି ମାସରେ ଦେଶର ୭୫ତମ ସ୍ୱାଧୀନତା ଦିବସ ଅବସରରେ ‘ଅମୃତ ମହୋତ୍ସବ’ ପାଳନ ଆରମ୍ଭ ହେଉଛି। ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କର ସଂଗ୍ରାମ ଗାଥା ହେଉ କିମ୍ବା ଦେଶର କୌଣସି ସ୍ଥାନର ଇତିହାସ ଅଥବା ସାଂସ୍କୃତିକ କହାଣୀ ତାହା ଆପଣମାନେ ‘ଅମୃତ ମହୋତ୍ସବ’ ସମୟରେ ଲୋକଲୋଚନକୁ ଆଣି ପାରିବେ। ଦେଶବାସୀଙ୍କୁ ତାହା ଅବଗତ କରାଇବାରେ ଆପଣ ସୂତ୍ରଧର ହୋଇପାରିବେ।
ସେ କହିଲେ ମହାନ୍ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମବଳି ଆମକୁ ନାଗରିକ ଭାବେ କର୍ତ୍ତବ୍ୟ ବିଷୟରେ ଚିନ୍ତା କରିବା ଲାଗି ପ୍ରେରିତ କରିବ। ଏ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀ ଅନେକ କହିଛନ୍ତି। ମୋର ପ୍ରିୟ ଦେଶବାସୀ ଗତବର୍ଷ ଏ ମାସରେ ଦେଶ ପ୍ରଥମ କରି ‘ଜନତା କର୍ଫ୍ୟୁ’ କଥା ଶୁଣିଥିଲେ। ଏ ମହାନ୍ ଦେଶବାସୀଙ୍କର ପ୍ରତାପ କଥା ଟିକିଏ ଅନୁଭବ କରନ୍ତୁ। ସେହିଭଳି ଆମ କରୋନା ଯୋଦ୍ଧାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଯାଇ ଥାଳି, ତାଳି ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। କରୋନା ଯୋଦ୍ଧାଙ୍କୁ ଏହା କିଭଳି ସ୍ପର୍ଶ କରିଥିଲା ତାହା ଆପଣ କଳ୍ପନା କରିପାରିବେ ନାହିଁ। ସେହି କାରଣରୁ ସେମାନେ ସାରା ବର୍ଷ ଅକ୍ଳାନ୍ତ ଓ ଅବିଶ୍ରାନ୍ତ ସେବା ଯୋଗାଇଥିଲେ। ଦେଶର ପ୍ରତ୍ୟେକ ନାଗରିକଙ୍କ ଜୀବନ ରକ୍ଷା ପାଇଁ କଷ୍ଟ ସ୍ୱୀକାର କରିଥିଲେ। ଗତବର୍ଷ ଏହି ସମୟରେ ଆଲୋଚ୍ୟ ବିଷୟ ଥିଲା କୋଭିଡ୍-୧୯ ପାଇଁ ଟିକା ବାହାରି ପାରିବ କି ନାହିଁ। ଯଦି ବାହାରେ କେବେ ମିଳିବ। ଆଜି ଭାରତରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ଭାରତରେ ଚାଲିଛି।
ପ୍ରିୟ ଦେଶବାସୀ ଆଜି ଇନ୍ଦୋରବାସିନୀ ସୌମ୍ୟା ଜୀଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଗୋଟାଏ ବିଷୟ ପ୍ରତି ସେ ମୋର ଦୃଷ୍ଟି ଆକର୍ଷଣ କରି ତାହାକୁ ‘ମନ୍କି ବାତ୍’ରେ କହିବାକୁ ଅନୁରୋଧ କରିଛନ୍ତି। ତାହା ହେଲା- ଭାରତୀୟ କ୍ରିକେଟର୍ ମିତାଲି ରାଜଙ୍କ ନୂଆ ରେକର୍ଡ। ସେ ୧୦ ହଜାର ରନ୍ ସଂଗ୍ରହ କରି ରେକର୍ଡ କରିଛନ୍ତି। ଭାରତର ନାରୀଶକ୍ତି କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ହାସଲ କରୁଛି। ବନ୍ଧୁଗଣ, ମଜାର କଥା ମାର୍ଚ୍ଚ ମାସରେ ମହିଳା ଦିବସ ପାଳନ ହେଉଥିବା ବେଳେ ଅନେକ କ୍ରୀଡ଼ିକା ରେକର୍ଡ କରିବା ସହ ପଦକ ହାସଲ କରିଛନ୍ତି। ପି ଭି ସିନ୍ଧୁଜୀ ‘ବିଡବ୍ଲୁଏଫ୍ ସ୍ୱିସ୍ ଓପେନ୍ ସୁପର୍ ୩୦୦ ଟୁର୍ଣ୍ଣାମେଣ୍ଟ୍’ରେ ରୌପ୍ୟ ପଦକ ହାସଲ କରିଛନ୍ତି।
ମୋର ପ୍ରିୟ ଦେଶବାସୀ କିଛିଦିନ ତଳେ ଅନୁଷ୍ଠିତ ‘ମେରିଟାଇମ୍ ଇଣ୍ଡିଆ ସମିଟ୍’ କଥା ଆପଣମାନଙ୍କର ମନେ ଅଛି କି ? ମନେ ଅଛି, ମୁଁ ଏହି ଶିଖର ସମ୍ମିଳନୀରେ କ’ଣ କହିଥିଲି ? ଅନେକ କାର୍ଯ୍ୟକ୍ରମରେ ଅନେକ କିଛି କୁହାଯାଉଛି। ଜଣେ ବା କେମିତି ସବୁ କିଛି ମନେରଖିବେ ଓ ସେଥିପ୍ରତି ଧ୍ୟାନ ଦେବେ। କିନ୍ତୁ ମୁଁ ଆନନ୍ଦିତ ଗୁରୁପ୍ରସାଦ ଜୀ ଆଗ୍ରହର ସହ ମୋର ଗୋଟିଏ ଅନୁରୋଧ ରକ୍ଷା କରିଛନ୍ତି। ଭାରତର ସର୍ବପୁରାତନ ବତିଘର ମହାବଳୀପୁରମ୍ ବତିଘର ପ୍ରସଙ୍ଗରେ ଗରୁପ୍ରସାଦ ଜୀ ସବିସ୍ତାର ଲେଖିଛନ୍ତି।
ବନ୍ଧୁଗଣ, ‘ମନ୍କି ବାତ୍’ରେ ଅନେକ ଥର ମୁଁ ପର୍ଯ୍ୟଟନର ବିଭିନ୍ନ ଦିଗ ସଂକ୍ରାନ୍ତରେ କହିଛି। କିନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ବତିଘର ସବୁ ଅନନ୍ୟ। ବିଶାଳତା ପାଇଁ ବତିଘର ସବୁ ଲୋକମାନଙ୍କର ଆକର୍ଷଣର କେନ୍ଦ୍ର ହୋଇ ଆସିଛନ୍ତି। ଜାପାନ୍ରେ ଆସିଥିବା ପ୍ରଳୟଙ୍କରୀ ସୁନାମିକୁ ଏବର୍ଷ ୧୦ ବର୍ଷ ପୂରୁଛି। ଏହି ସୁନାମିରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୨୪ରେ ମଧ୍ୟ ଅନୁରୂପ ସୁନାମି ଭାରତରେ ହୋଇଥିଲା। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅଭିନବତା ଓ ଆଧୁନିକିକରଣ ଅତ୍ୟାବଶ୍ୟକ। ନଚେତ ବେଳେ ବେଳେ ଜୀବନ ବୋଝ ହୋଇଯାଏ। ବିଭିନ୍ନ କ୍ଷେତ୍ରରେ ଦେଶର କେତେକ ବ୍ୟକ୍ତି କରୁଥିବା ନୂତନ ଉପାୟ ଓ ଉଦ୍ଭାବନ ପ୍ରତି ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ସମସ୍ତ ପର୍ବପର୍ବାଣି ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।