ପ୍ରେମ ପ୍ରତାରଣା ପାଇଁ ନର୍ସଙ୍କ ଆତ୍ମହତ୍ୟା : ବନ୍ଦ କୋଠରୀରୁ ମିଳିଲା ମୃତଦେହ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ କାର୍ଯ୍ୟରତ ନର୍ସଙ୍କ ଆତ୍ମହତ୍ୟା। ପୋଲିସ ବାବୁଙ୍କ ପ୍ରେମ ପ୍ରତାରଣାର ଶିକାର ହୋଇ ସେ ଏପରି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ ଝାରସୁଗୁଡ଼ା ବେହେରାମାଲ ଠାରେ ଭଡ଼ା ଘରେ ରହୁଥିଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳର ଏହି ନର୍ସ। ଗତ ଶୁକ୍ରବାର ରାତିରେ ଏହି ଆତ୍ମହତ୍ୟା କରିଥିଲେ। ପରଦିନ ବନ୍ଦ କୋଠରୀରୁ ତାଙ୍କ ମୃତଦେହ ପୋଲିସ୍‌ ଉଦ୍ଧାର କରିଛି। ସେ ବିବାହିତ ପୋଲିସ ଏଏସ୍‌ଆଇଙ୍କ ପ୍ରେମରେ ପଡିଥିଲେ। କିନ୍ତୁ ପୋଲିସ ବାବୁ ବିବାହ ପାଇଁ ରାଜି ନହେବାରୁ ନର୍ସଙ୍କ ଅଭିଯୋଗ କ୍ରମେ ବନହରପାଲି ଥାନାରେ କାର୍ଯ୍ୟରତ ଟ୍ରେନି ଏଏସ୍‌ଆଇ ଯୁଗଳ ସେଠ ଓ ପରିବାର ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ବନହରପାଲି ଥାନାରେ ରୁଜୁ ହୋଇଥିବା ଅଭିଯୋଗ ଅନୁଯାୟୀ ନର୍ସଙ୍କ ସହିତ ଏଏସ୍‌ଆଇ ଯୁଗଳଙ୍କର ଦୀର୍ଘଦିନ ପ୍ରେମ ସମ୍ପର୍କ ଥିଲା। ପ୍ରେମିକ ପୋଲିସ ବାବୁଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। କିନ୍ତୁ ସେ ପତ୍ନୀ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ନର୍ସଙ୍କୁ ତାଙ୍କ ପରିବାର ଲୋକେ ଏକ କୋଠରୀରେ ଭର୍ତ୍ତିକରି ନିର୍ଯାତନା ଦେଇଥିଲେ। ଏ ସମ୍ପର୍କରେ ସେ ଗତ ଏପ୍ରିଲ ୨୮ ତାରିଖରେ ବନହରପାଲି ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରାଯାଇଥିଲା। ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଏତଲାରେ ଉଲ୍ଲେଖ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନାହିଁ। ଏଥିରେ ସେ ଭାଙ୍ଗିପଡି କିଛି ଔଷଧ ସେବନ କରିବାରୁ ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ତାଙ୍କୁ
ଝାରସୁଗୁଡ଼ାର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ସୁସ୍ଥ ହେବାପରେ ସେ ଝାରସୁଗୁଡ଼ା ଭଡ଼ା ଘରେ ରହିଥିଲେ। ହେଲେ ଶନିବାର ତାଙ୍କ ମୃତଦେହ ଘର ଭିତରୁ ପୋଲିସ୍‌ ଉଦ୍ଧାର କରିଛି।

ଆତ୍ମହତ୍ୟା ପୂର୍ବରୁ ନର୍ସ ଜଣକ ଝାରସୁଗୁଡ଼ା ଏସ୍‌ପି ଓ ବନହରପାଲି ଥାନା ଅଧିକାରୀଙ୍କୁ ସାକ୍ଷାତ କରି ପ୍ରେମ ପ୍ରତାରଣା ସମ୍ପର୍କରେ ଜଣାଇବା ସହ ନ୍ୟାୟ ଭିକ୍ଷା କରିଥିଲେ। ପୋଲିସ୍‌ କୌଣସି ଆଖି ଦୃଶିଆ ପଦକ୍ଷେପ ନନେବାରୁ ସେ ଆତ୍ମହତ୍ୟା କରି ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ଘଟଣାଟି ଏବେ
ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

Back to top button