ପ୍ରେତାତ୍ମା ପାଇଁ ରଖାଯାଏ ପାଣି ବୋତଲ

ହିମାଚଳ ପ୍ରଦେଶର ପ୍ରକୃତିକ ସୌନ୍ଦର୍ଯ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏଠାରେ ରହିଥିବା ବିଭନ୍ନ ସ୍ଥାନ ଦେଖିବା ପାଇଁ ଅନେକ ଏଠାକୁ ଆସନ୍ତି। କିନ୍ତୁ ଏମିତି ରହସ୍ୟମୟ ସ୍ଥାନ ରହିଛି ତାହା ବିଷୟରେ ଅନେକେଙ୍କୁ ଅଜଣା। ଏ ମଧ୍ୟରୁ ଗୋଟିଏ ସ୍ଥାନ ହେଲା ଗାଟା ଲୁପ୍ସ। ଚକ୍ରାକାର ସଡ଼କ ପାଇଁ ଗାଟା ଲୁପ୍ସ ପ୍ରସିଦ୍ଧ। ଏଠାରେ ରହିଛି ୨୧ଟି ଚକ୍ରାକାର ସଡ଼କ। ଯାହା ସମୁଦ୍ର ପତ୍ତନ ଠାରୁ ୧୭ ହଜାର ଫୁଟ ଉଚ୍ଚରେ ଅବସ୍ଥିତ।

ଏତେ ଉଚ୍ଚରେ ଥିବା ପାହାଡିଆ ରାସ୍ତା ଦେଇ ଯିବାଆସିବା କରିବାକୁ ଲୋକେ ଭୟ କରନ୍ତି। କିନ୍ତୁ ମାଲବାହୀ ଟ୍ରକଗୁଡ଼ିକ ଏହି ରାସ୍ତାରେ ଯାଇଥାଏ। ଶୀତ ଦିନେ ତୁଷାରପାତ ଯୋଗୁଁ ଗାଟା ଲୁପ୍ସ ସଡ଼କ ବନ୍ଦ ହୋଇଯାଏ। ସବୁଠାରୂ ଆଶ୍ଚର୍ଯ୍ୟ ହେଲା ଏହି ରାସ୍ତାରେ ଥିବା ଏକ ପ୍ରେତାତ୍ମା ମନ୍ଦିର ରହିଛି। ସେହି ବାଟଦେଇ ଗଲାବେଳେ ଲୋକେ ପାଣି ବୋତଲ ରଖି ଦିଅନ୍ତି। ଏପରି କରିବା ପଛରେ ଏକ କାହାଣୀ ରହିଛି।

କୁହାଯାଏ ୧୯୯୯ ମସିହାରେ ଗାଟା ଲୁପ୍ସ ରାସ୍ତାରେ ଯିବାବେଳେ ଗୋଟିଏ ଟ୍ରକ ଖରାପ ହୋଇଯାଇଥିଲା। ଡ୍ରାଇଭର ଓ ହେଲପର ଟ୍ରକ ମରାମତି କରିବାକୁ ଚେଷ୍ଟାକରି ବିଫଳ ହୋଇଥିଲେ। ତୁଷାରପାତ ଯୋଗୁଁ ରାସ୍ତା ବନ୍ଦ ହୋଇ ଯାଇଥିଲା। ଫେରିବାର କୌଣସି ଉପାୟ ନପାଇ ଦୁହେଁ
ପାଖ ଗାଁକୁ ଯାଇ ସାହାଯ୍ୟ ମାଗିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ତାହା ସମ୍ଭବ ହେଲାନାହିଁ। ହେଲପରର ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଫଳରେ ଡ୍ରାଇଭର ଏକା ପାଖ ଗାଁକୁ ଯିବାପାଇଁ ବାଧ୍ୟ ହୋଇଥିଲେ। କିଛିଦିନ ପରେ ଡ୍ରାଇଭର ଗାଁଲୋକଙ୍କୁ ନେଇ ଟ୍ରକ ପାଖକୁ ଆସିଥିଲେ। କିନ୍ତୁ ହେଲପରର ମୃତ୍ୟୁ ହୋଇ ସାରିଥିଲା। ଲୋକମାନେ ହେଲପରର ଅନ୍ତିମ ସଂସ୍କାର ସେହି ସ୍ଥାନରେ କରିଥିଲେ। ହେଲପର୍‌ ମରିଥିବା ସ୍ଥାନରେ ଛୋଟ ଘରଟିଏ ତିଆରି କରିଦେଲେ। କୁହାଯାଏ ହେଲପରର ଆତ୍ମା ଆଜି ମଧ୍ୟ ଗାଟା ଲୁପ୍ସରେ ଘୂରି ବୁଲୁଛି। ତେଣୁ ଲୋକେ ଗାଟା ଲୁପ୍ସ ସଡ଼କ ଦେଇ ଯିବା ସମୟରେ ସେହି ଘର ସାମ୍‌ନାରେ ପାଣି ଓ ଆବଶ୍ୟକ ସାମଗ୍ରୀ ରଖି ଦେଇ ଯାଆନ୍ତି।

ମତାମତ ଦିଅନ୍ତୁ ।