ପୁଣି ବିଧାନସଭାରେ ଉଠିବ ବର୍ଦ୍ଧିତ ବିଦ୍ୟୁତ ଦର ପ୍ରସଙ୍ଗ : ପ୍ରସ୍ତୁତ ହେଉଛନ୍ତି ବିରୋଧୀ

ଭୁବନେଶ୍ୱର : ବର୍ଦ୍ଧିତ ବଜୁଳି ଦରକୁ ନେଇ ବିଧାନସଭାରେ ପୁଣି ବିରୋଧୀ ସରକାରଙ୍କୁ ଘେରିବେ। ଏଥିପାଇଁ ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି।

ଆସନ୍ତା ୪ ତାରିଖରୁ ରାଜ୍ୟରେ ଲାଗୁହେବ ବର୍ଦ୍ଧିତ ବଜୁଳି ଦର। ଉପଭୋକ୍ତାଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଥିବା ବେଳେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଗୃହ ଅଚଳ କରିଥିଲେ। ଶକ୍ତିମନ୍ତ୍ରୀ ଉତ୍ତର ରଖିଥିଲେ ଏହାର ପୁନର୍ବିଚାର ପାଇଁ ଓଇଆରସି ନିକଟରେ ଆବେଦନ କରିବେ। କିନ୍ତୁ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ତେଣୁ ପୁଣି ଏହି ପ୍ରସଙ୍ଗ ଗୃହରେ ଉଠାଇବାକୁ ବିରୋଧୀ ସଜବାଜ ହେଉଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଶକ୍ତିମନ୍ତ୍ରୀ ଯେଉଁ ପୁନର୍ବିଚାର ଆବେଦନ କରିବେ ବୋଲି କହିଛନ୍ତି ତାହା ବିରୋଧୀଦଳ ଓ ରାଜ୍ୟବାସୀଙ୍କୁ ସନ୍ତୁଷ୍ଟ କରିପାରିନାହିଁ। କାରଣ ବିଦ୍ୟୁତ ଉପୋଭକ୍ତା ସଂଘ କହିଛି ସରକାର ଓଇଆରସି ପାଖରେ ଆବେଦନ କରିପାରିବେ ନାହିଁ। ଯେହେତୁ ବର୍ଦ୍ଧିତ ବିଜୁଳି ଦର ଲାଗୁ ହେବ କି ନାହିଁ ସେ ସମ୍ପର୍କରେ ମନ୍ତ୍ରୀ କୌଣସି ଘୋଷଣା କରିନାହାନ୍ତି ସେ ଦୃଷ୍ଟିରୁ ୪ ତାରିଖରୁ ନୂଆ ଦର ଲାଗୁ ହେବ ବୋଲି ଲୋକଙ୍କର ବିଶ୍ଵାସ ରହିଛି। ବିଜେପି କହିଛି ରାଜ୍ୟ ସରକାର ଟାଟା ପାୱାର ପାଖରେ ବନ୍ଧା ପଡିଛନ୍ତି। ସେହିପରି କଂଗ୍ରେସ କହିଛି ବିଧାନସଭାରେ ଏହାର ଜବାବ ମାଗିବ। କମ୍ପାନୀକୁ ଲାଭ ଦେବାକୁ ବିଦ୍ୟୁତ ଦର ବୃଦ୍ଧି କରାଯାଇଥିବା ବିରୋଧୀ ଅବିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ବର୍ଦ୍ଧିତ ବିଦ୍ୟୁତ ଦର ଅନୁଯାୟୀ ଉପଭୋକ୍ତାଙ୍କୁ ୟୁନିଟି ପିଛା ୩୦ ପଇସା ଅଧିକ ଦେବାକୁ ପଡିବ। ୬ ମାସ ପୂର୍ବରୁ ୨୦ ପଇସା ବଢିଥିଲା। ସରକାରଙ୍କ ପଦକ୍ଷେପକୁ ଏବେ ଅପେକ୍ଷା। ପୁନର୍ବିଚାର ଆବେଦନ ବର୍ଦ୍ଧିତ ଦର ରୋକିବାରେ କେତେ ଫଳପ୍ରଦ ହେଉଛି ତାହା ଦେଖିବାର କଥା।

Leave a Reply

Your email address will not be published. Required fields are marked *

Back to top button