ପୁଣି ଜଣେ ବଲିଉଡ୍‌ ଅଭିନେତାଙ୍କ ପରଲୋକ

ଚଣ୍ଡିଗଡ଼: ଐଶ୍ୱର୍ଯ୍ୟା ରାୟ ଓ ରଣଦୀପ ହୁଡ୍ଡାଙ୍କ ସହିତ ଫିଲ୍ମ ‘ସରବଜିତ୍‌’ରେ ଅଭିନୟ କରିଥିବା ଆକ୍ଟର ରଞ୍ଜନ ସେହଗଲଙ୍କର ପରଲୋକ ହୋଇଛି। ଶରୀର କିଛି ଅଙ୍ଗ କାମ ନ କରିବାରୁ ସେ ଦୀର୍ଘଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଗତକାଲି ଚଣ୍ଡିଗଡ଼ର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମାତ୍ର ୩୬ ବର୍ଷରେ ଦୁନିଆକୁ ଅଲ୍‌ବିଦା କହି ସବୁଦିନ ପାଇଁ ଆରପାରିକୁ ଚାଲିଯାଇଛନ୍ତି ରଞ୍ଜନ।  ତାଙ୍କ ଦେହାନ୍ତରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।

ସିନେ ଆଣ୍ଡ ଟିଭି ଆର୍ଟିଷ୍ଟ ଆସୋସିଏସନ୍‌(CINTAA) ରଞ୍ଜନଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏନେଇ ସିନ୍‌ଟା ଟ୍ୱିଟ୍ କରି ଲେଖିଛି “ରଞ୍ଜନ ସେହଗଲଙ୍କ ବିୟୋଗରେ ଦୁଃଖ ପ୍ରକାଶ କରୁଛି ସିନ୍‌ଟା। ” ରଞ୍ଜନ ବିଭିନ୍ନ ରୋଗ କାରଣରୁ ଅନେକ ଦିନ ହେଲା ଅସୁସ୍ଥ ଥିଲେ। ତାଙ୍କର ଏକାଧିକ ଅଙ୍ଗ କାମ ନ କରିବାରୁ ଗତକାଲି ତାଙ୍କର ବିୟୋଗ ହୋଇଛି। 

୨୦୧୬ରେ ମୁକ୍ତିଲାଭ କରିଥିବା ଫିଲ୍ମ ସରବଜିତ୍‌ରେ ରଞ୍ଜନ ରବିନ୍ଦ୍ର ପଣ୍ଡିତ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ନିର୍ଦ୍ଦେଶନା ଦେଇଥିଲେ ଉମଙ୍ଗ କୁମାର। ତେବେ ସରବଜିତ ବ୍ୟତୀତ ଫୋର୍ସ, କର୍ମା ଏବଂ ପଞ୍ଜାବୀ ଫିଲ୍ମ ମାହି ଏନ୍‌ଆର୍‌ଆଇ ଫିଲ୍ମ ଭଳି ଅନେକ ପଞ୍ଜାବ ଫିଲ୍ମରେ ସେ ଅଭିନୟ କରିଛନ୍ତି।

ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ରଞ୍ଜନ ଜଣେ ଲୋକପ୍ରିୟ କଳାକାର।  ତା’ସହିତ ଅନେକ ଟିଭି ଶୋ’ ଓ ଧାରାବାହିକରେ ମଧ୍ୟ ସେ ଅଭିନୟ କରିଛନ୍ତି। କ୍ରାଇମ ପେଟ୍ରୋଲ, ସାବଧାନ ଇଣ୍ଡିଆ, ତୁମ ଦେନା ସାଥ ମେରା, ଭୱାର, କୁଲଦୀପକ ଏବଂ ଗୁସ୍ତାଖ ଦିଲ୍ ତନ୍ମଧ୍ୟରୁ ଅନ୍ୟତମ। ତେବେ ଏହି ବର୍ଷ ବଲିଉଡ୍‌ ଅନେକ ଷ୍ଟାର୍‌ଙ୍କୁ ହରାଇଛି। ରିଶି କପୁର, ଇର୍‌ଫାନ୍‌ ଖାନ, ସୁଶାନ୍ତ ସିଂହ ରାଜପୁତ, ସରୋଜ ଖାନ, ଜଗଦୀପଙ୍କ ଭଳି ବଡ଼ ଫିଲ୍ମ ଷ୍ଟାର୍‌ ବଲିଉଡ୍‌କୁ ଅଲ୍‌ବିଦା କହିଛନ୍ତି।

ମତାମତ ଦିଅନ୍ତୁ ।