ଲଦାଖ : ସୀମା ବିବାଦକୁ ନେଇ ଚୀନ-ଭାରତ ମଧ୍ୟରେ ବିବାଦ ତୁଟୁନି। ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଇଲାକାରେ ସୈନିକ ସଂଖ୍ୟା ବୃଦ୍ଧି କରିଥିବା ବେଳେ ଯୁଦ୍ଧ ସରଞ୍ଜାମ ମହଜୁଦ ରଖିଛନ୍ତି। ଏହା ଏକପ୍ରକାର ଯୁଦ୍ଧ ପ୍ରସ୍ତୁତି। ମୋଟାମୋଟି ଭାବେ କହିବାକୁ ଗଲେ ଚୀନ ଉପରେ ବିଶ୍ଵାସ ନାହିଁ। ଏହିଭଳି ପରିସ୍ଥିତିରେ ଭାରତୀୟ ନୌସେନା ପୂର୍ବ ଲଦାଖର ପାଙ୍ଗୋଙ୍ଗ୍ ହ୍ରଦ ଅଞ୍ଚଳରେ ‘ମାର୍କୋସ୍’ କମାଣ୍ଡୋ ମୁତୟନ କରିଛି।
ମୁଖ୍ୟତଃ ତିନି ବାହିନୀ ମଧ୍ୟରେ ଐକ୍ୟଭାବ ବୃଦ୍ଧି କରିବା ସହିତ ନୌସେନା କମାଣ୍ଡୋମାନଙ୍କୁ ଭୀଷଣ ଥଣ୍ଡା ପରିସ୍ଥିତି ଖାପଖୁଆଇବା ହେଉଛି ‘ମାର୍କୋସ୍’ ମୁତୟନ କରାଯିବାର ଉଦ୍ଦେଶ୍ୟ। ସୀମାରେ ସଂଘର୍ଷ ପରଠାରୁ ସେ ଅଞ୍ଚଳରେ ଭାରତୀୟ ବାୟୁସେନାର ଗରୁଡ଼ ଅପରେଟିଭ୍ ଓ ସେନାବାହିନୀର ପାରା ସ୍ପେସାଲ୍ ଫୋର୍ସ ମୁତୟନ ହେବାର ୬ ମାସରୁ ଅଧିକ ହୋଇଗଲାଣି। ସୂଚନା ମିଳିଛି ପାଙ୍ଗୋଙ୍ଗ୍ ହ୍ରଦରେ ଅଭିଯାନ ଚାଲୁ ରଖିବା ପାଇଁ ନୌସେନାର କମାଣ୍ଡୋମାନଙ୍କୁ ଖୁବ୍ ଶୀଘ୍ର ନୂଆ ବୋଟ୍ ମିଳିବ। ସେହିପରି ଆତଙ୍କବାଦ ମୁକାବିଲା ଲାଗି ଭାରତୀୟ ନୌସେନା ଜମ୍ମୁ ଓ କଶ୍ମୀରର ଉଲାର ହ୍ରଦ ଅଞ୍ଚଳରେ ‘ମାର୍କୋସ୍’ ଟିମ୍ ମୁତୟନ କରିଥିବା ଜଣାପଡିଛି।