ପୁରୀ ଜିଲ୍ଲା ପ୍ରଶାସନର ସ୍ପଷ୍ଟୀକରଣ: ବଗଳା ଧର୍ମଶାଳା ଜମି ବିକ୍ରି କରାଯାଇନାହିଁ

ଭୁବନେଶ୍ୱର : ବଗଳା ଧର୍ମଶାଳା ଜମି ବିକ୍ରିକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପୁରୀ ଜିଲ୍ଲା ପ୍ରଶାସନ ଏହା ଉପରେ ସ୍ପଷ୍ଟୀକରଣ ଜାରି କରିଛି। ଏଥିରେ କୁହାଯାଇଛି ଏହି ଜମି ବିକ୍ରି କରାଯାଇଥିବା କଥା ସତ୍ୟତା ଉପରେ ଆଧାରିତ ନୁହେଁ। ଏହି ଜମି କାହାରିକୁ ବିକ୍ରି କରାଯାଇନାହିଁ। ଧର୍ମଶାଳାର ମାତ୍ର ୧୨ ପ୍ରତିଶତ ଅଞ୍ଚଳ ସେବାୟତ ଓ ମନ୍ଦିର ପରିସର ପାଇଁ ଜମିଛାଡ଼ିଥିବା ଲୋକମାନଙ୍କ ଥଇଥାନ ପାଇଁ ଆବଣ୍ଟନ କରାଯାଇଛି।

ବଗଳା ଧର୍ମଶାଳା ପରିସରରେ ଯେଉଁମାନଙ୍କୁ ଥଇଥାନ କରାଯାଇଛି ସେମାନେ ମୁଖ୍ୟତଃ ଭିତର ସେବାୟତ ନିଯୋଗର ଅନ୍ତର୍ଭୁକ୍ତ। ସେମାନେ ଅନେକ ବର୍ଷ ଧରି ମନ୍ଦିର ନିକଟରେ ରହୁଥିଲେ। ମହାପ୍ରଭୁଙ୍କ ପ୍ରତି ଭକ୍ତି ଓ ସରକାରଙ୍କ ଅନୁରୋଧ କ୍ରମେ ସେମାନେ ନିଜର ଭିଟାମାଟି ମନ୍ଦିର କରିଡର ପ୍ରକଳ୍ପ ପାଇଁ ଛାଡ଼ିଦେଇଥିଲେ। ବିସ୍ଥାପିତ ପରିବାରଗୁଡ଼ିକୁ ସରକାରଙ୍କ ଅନୁମୋଦିତ ଥଇଥାନ ପ୍ୟାକେଜ ଅନୁସାରେ ରାଜସ୍ୱ ଜମିରେ ଥଇଥାନ କରାଯାଇଛି।

ପ୍ରଶାସନ କହିଛି ବଗଳା ଧର୍ମଶାଳାରେ ମାତ୍ର ୨୦୦ ଲୋକ ରହିବା ପାଇଁ ବ୍ୟବସ୍ଥା ଥିଲା। କିନ୍ତୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସରକାର ଏବେ ୨୦୦୦ ଲୋକ ରହିବା ପରି ଲଜ/ଧର୍ମଶାଳା ନିର୍ମାଣ କରୁଛନ୍ତି। ଆଗକୁ ଆହାରି ୮୦୦୦ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯିବ। ତେଣୁ ସରକାର ବଗଳା ଧର୍ମଶାଳା କ୍ଷମତାକୁ ୫୦ ଗୁଣ ବୃଦ୍ଧି କରୁଛନ୍ତି। ଶ୍ରୀମନ୍ଦିର ପାଇଁ ତ୍ୟାଗ କରିଥିବା ସେବାୟତମାନଙ୍କୁ ଆମେ କୃତଜ୍ଞତା ପ୍ରଦର୍ଶନ କରିବା ଉଚିତ।

ମତାମତ ଦିଅନ୍ତୁ ।