ରାହୁଲ ନେତୃତ୍ୱ ନେବାରେ ବିଫଳ ପାଇଁ କଂଗ୍ରେସ ବିଧାୟକଙ୍କ ଇସ୍ତଫା

ଗୌହାଟି : କଂଗ୍ରେସରେ ନେତୃତ୍ଵକୁ ନେଇ ଅସନ୍ତୋଷ କୁହୁଳୁଛି। ଗାନ୍ଧୀ ପରିବାରକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆସାମ ବିଧାନସଭାକୁ ନିର୍ବାଚିତ କଂଗ୍ରେସ ବିଧାୟକ ରୁପଜ୍ୟୋତି କୁର୍ମୀ। ଏହି କାରଣ ପାଇଁ ରୁପଜ୍ୟୋତି ଆଜି ବାଚସ୍ପତି ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଥିବା ବେଳେ ଦଳ ଛାଡିଛନ୍ତି। ସେ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି।

ଖବର ଅନୁଯାୟୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଉଥିବା ରୁପଜ୍ୟୋତି କହିଛନ୍ତି। ସେ ଆସାମର ଜୋରହାଟ ଜିଲ୍ଲାର ମରିଆନୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୬ରୁ ୪ ଥର ଆସାମ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ରୁପଜ୍ୟୋତି କଂଗ୍ରେସ ଟିକେଟରୁ ନିର୍ବାଚିତ ହେବା ପୂର୍ବରୁ ତାଙ୍କ ମା’ ସେହି ଆସନରୁ ତିନିଥର ନିର୍ବାଚିତ ହୋଇଥିଲେ। ଆସାମରେ କଂଗ୍ରେସ ସରକାରରେ ତାଙ୍କ ମା’ ଥିଲେ ମନ୍ତ୍ରୀ। ୨୦୦୪ରେ ରୁପଜ୍ୟୋତିଙ୍କ ମା’ଙ୍କର ଦେହାନ୍ତ ହେବା ସେ ୨୦୦୬ରେ ଉପନିର୍ବାଚନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ।

ସେ କହିଛନ୍ତି ୨୦୦୩ରେ ରାହୁଲ୍ ଗାନ୍ଧୀ କଂଗ୍ରେସର କୌଣସି ବଡ଼ ପଦବୀରେ ନଥିଲେ। ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଇ କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲେ। ହେଲେ ରାହୁଲ ଗାନ୍ଧୀ ଦଳର ପ୍ରମୁଖ ପଦବୀକୁ ଆସିବାଠାରୁ ଦଳରେ ସେମିତି କିଛି ଅଗ୍ରଗତି ହେଉନି। କେନ୍ଦ୍ର କଂଗ୍ରେସ କିମ୍ବା ରାଜ୍ୟ କଂଗ୍ରେସ ମୁଖିଆ କେବଳ ବୟସ୍କ ନେତାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଯୁବ ନେତାଙ୍କୁ ସବୁବେଳେ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି। ରୁପଜ୍ୟୋତି ଇସ୍ତଫା ଦେବା ପରେ ଆସାମ ବିଧାନସଭାର ମୋଟ୍ ୧୨୬ ଆସନରୁ କଂଗ୍ରେସ ବିଧାୟକ ସଂଖ୍ୟା ୨୮ ହୋଇଛି।

ସମ୍ବନ୍ଧିତ ଖବର
between image and heading

Comments are closed.